ଜୟପୁର: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତ ଏକାଧିକ ରାଜ୍ୟକୁ କଲବଲ କରୁଛି। ତଥାପି ଲୋକମାନେ ଯୋଜନା ମୁତାବକ ବାହାଘର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାଂସ୍କୃତି ସମାବେଶ କରିବାରେ ଲାଗିଛନ୍ତି। ଏସବୁ ଭିତରେ ବୁଧବାର ଠାରୁ ନଭେମ୍ବର ୩୦ ମଧ୍ୟରେ ରାଜସ୍ଥାନରେ ହଜାର ହଜାର ସଂଖ୍ୟାରେ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେବଳ ରାଜଧାନୀ ଜୟପୁରରେ ୪ ହଜାରରୁ ଅଧିକ ବାହାଘର ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି। ୨୫ ତାରିଖରେ କିଛି ବାହାଘର ହୋଇଥିବା ବେଳେ ୨୭ ଓ ୩୦ ତାରିଖରେ ବାକି ବିବାହ ପାର୍ଟି ଆୟୋଜନ ହେବ।
ରାଜ୍ୟରେ ଏବେ ଦୈନିକ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେବଳ ଜୟପୁରରେ ଗୋଟିଏ ସପ୍ତାହରେ ୪ ହଜାର ବାହାଘର ତାରିଖ ଚୂଡ଼ାନ୍ତ ହେବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପ୍ରଶାସନକୁ ଚିନ୍ତାରେ ପକାଇଛି। ଗତ ୪ ଦିନ ମଧ୍ୟରେ ରାଜସ୍ଥାନରେ ସଂକ୍ରମଣ ହାର ପୂର୍ବାପେକ୍ଷା ୧.୩୪% ବୃଦ୍ଧି ପାଇଛି।
ଆକ୍ଟିଭ କେସ୍ ସଂଖ୍ୟା ମଧ୍ୟ ୨୬ ହଜାର ପାର କଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୟପୁରରେ ଦୈନିକ ସଂକ୍ରମଣ ସଂଖ୍ୟା ୬୦୦ରୁ ଅଧିକ। ଖାସ୍ ଏହି କାରଣ ପାଇଁ ପ୍ରଶାସନ ଜୟପୁରରେ ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲାଗୁ କରିଛି। ଗେହଲଟ ସରକାର ସମଗ୍ର ରାଜ୍ୟରେ ବାହାଘରରେ ସାମିଲ ହେବାକୁ ଥିବା ସଂଖ୍ୟା ୧୦୦କୁ ହ୍ରାସ କରି ମାସ୍କ ବାଧ୍ୟତା ମୂଳକ କରିଛନ୍ତି। ତଥାପି ଜୟପୁରରେ ୪ ହଜାର ବାହାଘର ପାଇଁ ତାରିଖ ଧାର୍ଯ୍ୟ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଜୟପୁରରେ ୨୫, ୨୭ ଓ ୩୦ ନଭେମ୍ବରରେ ୪ ହଜାର ବାହାଘର ଆୟୋଜନ ହେବାକୁ ଯାଇଛି। ତେବେ ବାହାଘର ବେଳେ କୌଣସି ବରଯାତ୍ରୀ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଯେଉଁ ମଣ୍ଡପରେ ବାହାଘର ହେବ, ସେଠାରେ ୧୦୦ରୁ ଅଧିକ ଲୋକ ଭିଡ଼ କରିପାରିବେ ନାହିଁ।
ମାସ୍କ ପିନ୍ଧିଲେ ଯାଇ ବ୍ରାହ୍ମଣ ପୂଜା କରିବେ ବୋଲି ନିୟମ ରହିଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରେ, ତା’ହେଲେ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ପ୍ରଶାସନ ପକ୍ଷରୁ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ବାହାଘର କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂକୁ ଆଧାର କରି ପ୍ରଶାସନ ଚାହିଁଲେ ଜୋରିମାନା ମଧ୍ୟ ଆଦାୟ କରିବାର ପ୍ରାବଧାନ ରହିଛି।
The post କରୋନା ସଂକ୍ରମଣ: ତଥାପି ଚଳିତ ସପ୍ତାହରେ ହେବ ରେକର୍ଡ ୪ ହଜାର ବାହାଘର appeared first on Odisha Reporter.
from Odisha Reporter https://ift.tt/3q5fp3a
No comments:
Post a Comment