ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଇପିଏଲରେ ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଗୁରୁବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ କ୍ୟାରିୟର ବେଷ୍ଟ ୧୪ ରନ୍ ଦେଇ ୪ ୱିକେଟ ଦଖଲ କରି ସବୁ ଭାରତୀୟ ବୋଲରଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ବୁମ୍ରାଙ୍କ ନାଁରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ବୁମ୍ରା ଗତକାଲି ଦିଲ୍ଲୀ ବିପକ୍ଷରେ ୪ ୱିକେଟ ଦଖଲ କରିବା ପରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହୋଇଯାଇଛନ୍ତି। ବୁମ୍ରା ଏଯାଏ ୧୪ଟି ମ୍ୟାଚ୍ ଖେଳି ୨୭ଟି ୱିକେଟ ନେଇ ସାରିଲେଣି। ଗୋଟିଏ ଆଇପିଏଲ ସଂସ୍କରଣରେ ଏତେ ସଂଖ୍ୟକ ୱିକେଟ ନେବାରେ ବୁମ୍ରା ପ୍ରଥମ ଭାରତୀୟ। ବୁମ୍ରାଙ୍କ ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ନାଁରେ ଏହି ରେକର୍ଡ ରହିଥିଲା। ସେ ୨୦୧୮ ଆଇପିଏଲ ସଂସ୍କରଣରେ ୨୬ଟି ୱିକେଟ ନେଇଥିଲେ।
ଏହାବାଦ ବୁମ୍ରା ଚଳିତ ଆଇପିଏଲର ଏକମାତ୍ର ବୋଲର ଯିଏ, ଦୁଇ ଥର ୪ଟି ଲେଖାଏ ୱିକେଟ ନେଇସାରିଲେଣି। ଦିଲ୍ଲୀ ପୂର୍ବରୁ ରାଜସ୍ଥାନ ବିପକ୍ଷରେ ସେ ୨୦ ରନ୍ ଦେଇ ୪ ୱିକେଟ ଝଡ଼ାଇଥିଲେ।
ଏହି ରେକର୍ଡ ବ୍ରେକିଂ ବୋଲିଂ ପରେ ବୁମ୍ରା କହିଛନ୍ତି, “ମୁଁ ଯେତେବେଳେ ୱିକେଟ ନ ପାଏ ସେତେବେଳେ କେବେ ହେଲେ ନିରାଶ ହୁଏନାହିଁ। ମୁଁ କେବେ ହେଲେ ୱିକେଟକୁ ଦେଖେନାହିଁ। ମୋତେ ଦଳ ପକ୍ଷରୁ ଯାହା କରିବାକୁ କୁହାଯାଏ, ମୁଁ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ। ଇନିଂସ ଆରମ୍ଭରୁ ୱିକେଟ ଦଖଲ କରିବା ବେଶ ଗୁରୁତ୍ୱପୂର୍ଣ୍ଣ।
ବିଶେଷ କରି କାକର ପଡ଼ିବା ପୂର୍ବରୁ ୱିକେଟ ନେବା ଜରୁରୀ। ମୁଁ କେବେ ହେଲେ ଶେଷ କଥା ଭାବେନାହିଁ। ଯେତେବେଳେ ବି ମୁଁ ଏପରି ଭାବେ ସେତେବେଳେ ବୋଲିଂ ଖରାପ ହୋଇଥାଏ।” ବୁମ୍ରାଙ୍କୁ ଗତକାଲିର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଥିଲା।
The post ଆଇପିଏଲରେ ନୂଆ ରେକର୍ଡ କଲେ ଯଶପ୍ରୀତ ବୁମ୍ରା appeared first on Odisha Reporter.
from Odisha Reporter https://ift.tt/2U0GhTb
No comments:
Post a Comment