ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍ଡ ନେଇ ଅସୁସ୍ଥତା ଅଭିଯୋଗ ଆଣିଥିବା ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କଲା ସେରମ ଇନଷ୍ଟିଚ୍ୟୁଟ । କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ ଆଣିଥିଲେ ସଂପୃକ୍ତ ସ୍ୱେଚ୍ଛାସେବୀ। ହେଲେ ଏହି ଅଭିଯୋଗକୁ ମିଥ୍ୟା ଓ ଅପରିପକ୍ୱ କହିବା ସହ କଂପାନୀକୁ ବଦନାମ କରିବାକୁ ଏପରି ଅପଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି। ଏଥିନିମନ୍ତେ କମ୍ପାନୀ ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରାଯାଇଛି।
ଏକ ଘରୋଇ ଟିଭି ଚ୍ୟାନେଲକୁ ବିବୃତି ଦେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି, ସଂପୃକ୍ତ ବ୍ୟକ୍ତିଙ୍କ ସ୍ନାୟୁଗତ ରୋଗ ସହ ଟିକା ନେବାର କୌଣସି ସଂପର୍କ ନାହିଁ । ସେରମ ଇନଷ୍ଟିଚ୍ୟୁଟ୍ ସଂପୃକ୍ତ ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ସମ୍ବେଦନଶୀଳ ଥିବା ସତ୍ତ୍ୱେ ସଂପୃକ୍ତ ସ୍ୱେଚ୍ଛାସେବୀ ଏପରି ମିଥ୍ୟା ଆରୋପ ଆଣିଛନ୍ତି। ଏଥିଯୋଗୁ କମ୍ପାନୀର ଛବି ମଳିନ ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ଚେନ୍ନାଇର ଜଣେ ୪୦ ବର୍ଷୀୟ ସ୍ୱେଚ୍ଛାସେବୀ କୋଭିସିଲ୍ଡ ର ହ୍ୟୁମାନ ଟ୍ରାଏଲରେ ସାମିଲ ହୋଇଥିଲେ। ଟିକା ନେବା ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । ଟିକା ନେବା ପରେ କେଉଁ ସବୁ ଲକ୍ଷଣ ଦେଖାଦେବ ସେନେଇ ତାଙ୍କୁ ଆଗୁଆ ଅବଗତ କରାଯାଇଥିଲା । ଏହାସତ୍ତ୍ୱେ ସେ ସ୍ନାୟୁଗତ ରୋଗରେ ପୀଡ଼ିତ ହୋଇଥିବା ଅଭିଯୋଗ ଆଣି କମ୍ପାନୀଠୁ ୫ କୋଟିର କ୍ଷତିପୂରଣ ଦାବି କରିଥିଲେ।
କମ୍ପାନୀ ପକ୍ଷରୁ ତାଙ୍କୁ ଏନେଇ ପୂର୍ବରୁ ଅବଗତ କରାଯାଇ ନ ଥିବା ବ୍ୟକ୍ତିଜଣକ ଅଭିଯୋଗ କରିଥିଲେ। କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସାଧାରଣରେ ଏଭଳି ମିଥ୍ୟା ଆରୋପ ଲଗାଇ ବଦନାମ କରିବା ଲାଗି ଚେଷ୍ଟା କରିଥିବା ଅଭିଯୋଗରେ ତାଙ୍କ ନାଁରେ କଂପାନି ପକ୍ଷରୁ ୧୦୦ କୋଟିର ମାନହାନି ମୋକଦ୍ଦମା କରାଯାଇଛି ।
ଏହାପୂର୍ବରୁ ବ୍ରିଟେନରେ ୫୦୦ ଜଣଙ୍କଠାରେ ଟିକା ପରୀକ୍ଷା ହୋଇଥିଲେ ବି ସେଥିରେ ସଫଳତା ମିଳିଥିଲା।
The post ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କଲା ସେରମ ଇନଷ୍ଟିଚ୍ୟୁଟ appeared first on Odisha Reporter.
from Odisha Reporter https://ift.tt/33vib8j
No comments:
Post a Comment