ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ଆସନ୍ତା ଜାନୁଆରୀ ଶେଷ କିମ୍ବା ଫେବୃଆରୀ ପ୍ରଥମ ଭାଗରେ ଭାରତକୁ ମିଳିଯିବ। ବର୍ତ୍ତମାନ ଅକ୍ସଫୋର୍ଡ କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ବ୍ରିଟେନରେ ଅନୁମତି ମିଳିଛି।
ଭାରତ ସରକାର ମଧ୍ୟ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ପାରନ୍ତି। ଏପରି ହେଲେ ଭାରତକୁ ଆସନ୍ତା ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଦଫାରେ ଅକ୍ସଫୋର୍ଡ ଟିକା ମିଳିଯିବ। ପ୍ରଥମ ପର୍ଯ୍ୟାୟରେ ଏହାକୁ ଡାକ୍ତର, ନର୍ସ ଓ ପୌରପାଳିକା କର୍ମଚାରୀଙ୍କ ଭଳି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ। ସେହିପରି ସାଧାରଣ ଲୋକଙ୍କୁ ଏପ୍ରିଲ ମାସ ସୁଦ୍ଧା ଟିକା ଦିଆଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି।
ସେରମ ଇନଷ୍ଟିଚ୍ୟୁଟ ଡିସେମ୍ବର ମାସରେ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିକାର ଧାର୍ଯ୍ୟ ଦର ଠାରୁ ୫୦% ରିହାତିରେ ସେରମ ଠାରୁ ଏହାକୁ ଆଣିବା ପାଇଁ ସରକାର ଯୋଜନା କରିଛନ୍ତି। କିଛି ଦିନ ତଳେ ସେରମ ମୁଖ୍ୟ ଅଦିଲ ପୁନାୱାଲା କହିଥିଲେ, ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ଦୁଇଟି ଡୋଜ୍ ଜଣେ ବ୍ୟକ୍ତିଙ୍କୁ ନେବାକୁ ପଡ଼ିବ। ଏଥିପାଇଁ ୧୦୦୦ରୁ ୧୨ଶହ ଟଙ୍କା ଖର୍ଚ୍ଚ ହେବ। ତେବେ ଭାରତ ସରକାର ୫୦% ରିହାତିରେ ଏହାକୁ କିଣିବେ ବୋଲି ସେରମ ସହ ଆଲୋଚନା କରିବାରେ ଲାଗିଛନ୍ତି। ଭାରତରେ ଅକ୍ସଫୋର୍ଡ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପ୍ରାୟତଃ ଶେଷ ହୋଇଛି। ଏବେ କେବଳ ପରୀକ୍ଷରୁ ମିଳିଥିବା ତଥ୍ୟକୁ ବିଶ୍ଲେଷଣ କରାଯାଉଛି।
ଅନ୍ୟପକ୍ଷରେ ଭାରତ ସରକାର ଭାରତ ବାଓଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦେଇପାରନ୍ତି। କମ୍ପାନୀ ଫେଜ-୧ ଓ ଫେଜ-୨ ଟ୍ରାଏଲର ରିପୋର୍ଟ ଦେବା ପରେ ହିଁ ଭାରତ ସରକାର ଏଥିପାଇଁ ଅନୁମତି ଦେବେ।
ଏବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଭାରତରେ କରାଯାଉଛି। ତେଣୁ ଫେବୃଆରୀ ସୁଦ୍ଧା କୋଭାକ୍ସିନ ଟିକା ମଧ୍ୟ ବଜାରକୁ ଆସିବାର ସମ୍ଭାବନା ରହିଛି। ପ୍ରଥମ ଦଫାରେ ଟିକା ମିଳିବା ପରେ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୨ କୋଟି ଫ୍ରଣ୍ଟ ଲାଇନ ୱାର୍କରସଙ୍କୁ ଏହା ଦିଆଯିବ।
The post ୫୦% ରିହାତିରେ ଭାରତକୁ ମିଳିବ କରୋନା ଟିକା! appeared first on Odisha Reporter.
from Odisha Reporter https://ift.tt/2UNRHds
No comments:
Post a Comment