କୋରାପୁଟର ଆଦିତ୍ୟକୁ କୋଳେଇ ନେଲେ ସ୍ପେନୀୟ ଦମ୍ପତି, କୋହ ସମ୍ଭାଳି ପାରିଲେନି ସେବିକା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 18, 2020

କୋରାପୁଟର ଆଦିତ୍ୟକୁ କୋଳେଇ ନେଲେ ସ୍ପେନୀୟ ଦମ୍ପତି, କୋହ ସମ୍ଭାଳି ପାରିଲେନି ସେବିକା ମା’

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ୪ ଦିନର ଅଲୋଡ଼ା ଶିଶୁକୁ କୋଳେଇ କାଖେଇ ୨ ବର୍ଷର କଲେ। ଶେଷରେ ସାତ ଦରିଆ ପାରିରୁ ଆସିଥିବା  ସ୍ପେନୀୟ ଦମ୍ପତି ଶିଶୁଟିକୁ କୋଳେଇ ନେଲେ। ଛୁଆଟି ନୂଆ ପରିଚୟ ପାଇବ, ତା’ର ସୁନେଲି ଭବିଷ୍ୟତ ଗଢ଼ିବ ବୋଲି ସମସ୍ତେ ଖୁସି ମନାଉଥିବା ବେଳେ ନିଜ କୋହ ସମ୍ଭାଳି ନ ପାରି ଗୋଟିଏ କୋଣରେ କିନ୍ତୁ ଆଖିରୁ ଝରି ଆସୁଥିବା ଅମାନିଆ ଲୁହକୁ ପୋଛୁଥିଲେ ପାଳିତା ମା’ ସୁମିତ୍ରା ମିନିୟକ । ହସ, ଲୁହ ଫେଣ୍ଟାଫେଣ୍ଟି ଏପରି କିଛି  ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଦଶମନ୍ତପୁରରେ ଥିବା ଆଇଡିଏସ୍ କ୍ୟାମ୍ପରେ।

୨ ବର୍ଷ ପୂର୍ବେ ମାତ୍ର ୪ ଦିନର ଶିଶୁକୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇ କୋରାପୁଟ ଦଶମନ୍ତପୁରରେ ଥିବା ଆଇଡିଏସ୍ କ୍ୟାମ୍ପରେ ରଖାଯାଇଥିଲା। ସେଠାରେ ପିଲାଟି ‘ଆଦିତ୍ୟ’ ନାମ ପାଇଲା। ନିଜ ମା’କୁ କେବେ ଦେଖି ନ ଥିବା ଛୁଆଟି ପାଇଁ ସବୁ କିଛି ଥିଲା ତା’ ସେବିକା ମା’ସୁମିତ୍ରା । ଯା’ ହାତ ଧରି ଦୁନିଆ ଦେଖିଥିଲା, ମା’ କହିଲେ ଯାହାକୁ ଭାବୁଥିଲା, ଦିନେ ଯେ ସିଏ ବି ପର ହୋଇଯିବ ସେ କଥା ଭାବି ନ ଥିଲା ନିଷ୍ପାପ ଛୁଆଟି। ଜନ୍ମ ଦେଇ ନ ଥିଲେ ବି ଶିଶୁଟିକୁ ଭଲ ପାଇବା ଦେବାରେ କେବେ ଊଣା କରି ନ ଥିଲେ ସୁମିତ୍ରା । ହେଲେ ଯାହାକୁ ସେ ନିଜଠୁ ଅଧିକ ଆପଣାର କଲେ ସେ ଯେ  ସତରେ ତାଙ୍କଠୁ ଦୂରେଇ ଯିବ, ଆଉ ତା’ ଡାକ ଶୁଣି ପାରିବେନି ଭାବି ତାଙ୍କ ମନର କୋହକୁ ସମ୍ଭାଳି ପାରୁ ନ ଥିଲେ ।

ଶେଷରେ କୋରାପୁଟର ୨ ବର୍ଷର ଶିଶୁ  ‘ଆଦିତ୍ୟ’କୁ କୋଳେଇ ନେଲେ ସ୍ପେନୀୟ ଦମ୍ପତି। ଆଦିତ୍ୟକୁ ଏବେ ନେଇଯାଇଛନ୍ତି ସାତ ଦରିଆ ପାରିର  ବିଦେଶୀ ଦମ୍ପତି ।  ସ୍ପେନର ନିଃସନ୍ତାନ ଦମ୍ପତି ସରକାରୀ ନିୟମ ମୁତାବକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ ଆଦିତ୍ୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

ପ୍ରଥମେ ଏହି ଦମ୍ପତି ପୋଷ୍ୟ ସନ୍ତାନ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ।  ଏହାପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । କୋରାପୁଟ ଦଶମନ୍ତପୁରରେ ଥିବା ଆଇଡିଏସ୍ କ୍ୟାମ୍ପରୁ ଏହି ଶିଶୁ ପୁତ୍ରକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । ନିୟମ ଅନୁଯାୟୀ ସମସ୍ତ ସରକାରୀ କାଜଗପତ୍ର କାମ ଶେଷ ପରେ କୋରାପୁଟ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଶିଶୁପୁତ୍ରକୁ ସ୍ପେନୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି।  ଏବେ କୋରାପୁଟର କୁନି ଆଦିତ୍ୟ ପାଇଛି ନୂଆ ପରିଚୟ ।

ଶିଶୁକୁ ହସ୍ତାନ୍ତର ବେଳେ ଉପଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। କିନ୍ତୁ ସବୁ ଅଳି ଅଝଟ ସହି ରାତି ରାତି ଉଜାଗର ରହି ନିଜ ଛୁଆଠୁ ବି ଅଧିକ ଆଦର କରି ୪ ଦିନର ଶିଶୁକୁ ଦୁଇ ବର୍ଷର କରିଥିବା  ସେବିକା ମା’ର ଲୁହ କିନ୍ତୁ ବନ୍ଧବାଡ଼ ମାନୁ ନ ଥିଲା।   ପିଲାଟିକୁ କଣ୍ଢେଇ ଲୋଭ ଦେଖାଇ ନିଜ ପାଖକୁ ନେବାକୁ ବିଦେଶୀ ଦମ୍ପତି ଚେଷ୍ଟା କରୁଥିବା ବେଳେ ଆଦିତ୍ୟ କିନ୍ତୁ ତା ସେବିକା ମା’କୁ ଛାଡ଼ୁ ନଥିଲା। ଶେଷରେ ବିଦାୟ ବେଳେ ବି ନିଜ ମା’କୁ ଦୂରେଇ ଯାଇ କୁନି ଆଦିତ୍ୟ ବି ବିକଳରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା।

“ଦୁଃଖ ଲାଗୁଛି, ଖୁସି ବି ଲାଗୁଛି । ହେଲେ ସେ ଯେଉଁଠି ରହୁ ଖୁସିରେ ରହୁ ।” ନିଜ କୋହ ଭରା କଣ୍ଠରେ କେବଳ ଏତିକି କହିଥିଲା ଆଦିତ୍ୟର ସେବିକା ମା’ ସୁମିତ୍ରା ।

The post କୋରାପୁଟର ଆଦିତ୍ୟକୁ କୋଳେଇ ନେଲେ ସ୍ପେନୀୟ ଦମ୍ପତି, କୋହ ସମ୍ଭାଳି ପାରିଲେନି ସେବିକା ମା’ appeared first on Odisha Reporter.



from Odisha Reporter https://ift.tt/32Vs7aS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages