ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦର ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଛି। ସେହିପରି ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ଶ୍ରମିକ ସଂଗଠନ ନଭେମ୍ବର ୨୬ ଓ ୨୭ରେ ସମର୍ଥନ କରିବ ବୋଲି କହିଛି।
ବନ୍ଦ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରକୁ ବନ୍ଦ ରଖିବା ପାଇଁ ସଂଗଠନଗୁଡ଼ିକ ପକ୍ଷରୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଏକାଧିକ ରାଜନୀତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି।
ଶ୍ରମିକ ନେତାମାନେ କହିଛନ୍ତି, ସବୁ ସେକ୍ଟର ଏହି ବନ୍ଦରେ ସାମିଲ ହେବେ। କିନ୍ତୁ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ବନ୍ଦରୁ ବାଦ ଦିଆଯାଇଛି। ୧୦ ଶ୍ରମିକ ସଂଗଠନ ବ୍ୟତୀତ ଇନସୁରାନ୍ସ ୟୁନିୟନ୍ସର କର୍ମଚାରୀ, ବ୍ୟାଙ୍କିଂ, ରେଳବାଇ, ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀମାନେ ମଧ୍ୟ ୨୫ ତାରିଖ ମଧ୍ୟରାତ୍ରରୁ ୨୬ ତାରିଖ ମଧ୍ୟରାତ୍ର ଯାଏ ଚାଲିବାକୁ ଥିବା ବନ୍ଦରେ ସାମିଲ ହେବେ।
ଆସନ୍ତାକାଲି ଭାରତ ବନ୍ଦରେ ପ୍ରାୟ ୧.୬ କୋଟି କର୍ମଚାରୀ ସାମିଲ ହେବେ ବୋଲି କୁହାଯାଉଛି। ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ ଲୋକ ବିରୋଧୀ, ଶ୍ରମିକ ବିରୋଧୀ, ଦେଶ ବିରୋଧୀ ଓ ଧ୍ୱଂସାଭିମୁଖୀ ନୀତି ବିରୋଧରେ ସଂଗଠନ ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଉଥିବା କହିଛନ୍ତି। ଘରୋଇ ସଂସ୍ଥାଗୁଡ଼ିକୁ ସେମାନଙ୍କ ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।
The post କାଲି ଭାରତ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3631P8x
No comments:
Post a Comment