ସୋର (ଶଶୀକାନ୍ତ ବେହେରା): ବିକମ୍ ପାସ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରୁଥିଲେ। ହେଲେ ମହାମାରୀ ‘କରୋନା’ ବଞ୍ଚିବାର ଜୀବନଶୈଳୀକୁ ବଦଳାଇଦେଲା। ଦିଲ୍ଲୀର ବିଷାକ୍ତ ପରିବେଶକୁ ଛାଡ଼ି ଗାଁକୁ ପଳାଇ ଆସିଲେ। ଆଉ ବାପା-ମାଆଙ୍କ ପାଖରେ ରହି ଜଣେ ସଫଳ ମାଛ ଚାଷୀ ବନି ଗଲେ। ଏମିତି ଜଣେ ସଫଳ କଉ ମାଛ ଚାଷୀ ହେଉଛନ୍ତି ରତନଲାଲ୍ ପଣ୍ଡା।
ବାଲେଶ୍ୱର ଜିଲ୍ଲା ସୋର ପୌର ପରିଷଦ ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡରେ ବାସ କରନ୍ତି ରତନଲାଲ ପଣ୍ଡା। ସେ ସୋର କଲେଜରୁ ବିକମ୍ ପାସ୍ କରିବା ପରେ ଦିଲ୍ଲୀ ଚାଲି ଯାଇଥିଲେ। ସେଠାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରୁଥିଲେ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ମହାମାରୀ ‘କରୋନା’ ସବୁ କିଛି ଓଲଟପାଲଟ୍ କରିଦେଲା।
ଦିଲ୍ଲୀରେ କରୋନାର ଭୟଙ୍କର ରୂପ ଦେଖି ଘରକୁ ପଳାଇଆସିଲେ ରତନଲାଲ୍ ପଣ୍ଡା। ଆଉ ସଂକଳ୍ପ ନେଲେ ଗାଁ ଛାଡ଼ି କେବେ ବାହାରକୁ ଯିବିନାହିଁ। ସ୍ୱାବଲମ୍ୱି ହେବି, ଗାଁରେ ରହିବି। ଯାହାବି କରିବି ବାପା-ମାଆଙ୍କ ପାଖରେ ରହି, ସେମାନଙ୍କ ଆଶୀର୍ବାଦ ନେଇ ରୋଜଗାର ପନ୍ଥା ଖୋଜିବି। କଣ କରିବେ କଣ କରିବେ ଭାବୁଭାବୁ କଉ ମାଛ ଚାଷ କରିବାର ଫର୍ମୁଲା ତାଙ୍କ ମୁଣ୍ଡକୁ ଆସିଲା। ଆଉ ସେଥିପାଇଁ ଟ୍ରେନିଂ ମଧ୍ୟ ନେଲେ।ଏବେ ଘର ପଛ ପାଖରେ ଥିବା ବାଡ଼ିରେ ୫ଟି କୁଣ୍ଡ ତିଆରି କରି କଉ ମାଛ ଚାଷ କରିବା ଆରମ୍ଭ କଲେ।
କୋଲକାତାରୁ ମାଛ ଯାଆଁଳ ଆଣି ଚାଷ କରୁଛନ୍ତି। ରତନଲାଲଙ୍କୁ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପୂରା ସହଯୋଗ କରୁଛନ୍ତି। ମାସକୁ ୪୦ ହଜାରରୁ ୫୦ ହଜାର ଟଙ୍କା ରୋଜଗାର ହେଉଛି। ମାର୍କେଟରେ କଉ ମାଛର ଚାହିଦା ବେଶ ରହିଛି। କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। କେବଳ ସୋର ନୁହେଁ, ଏବେ ବାହାରକୁ ବି ମାଛ ପଠାଉଛନ୍ତି ରତନଲାଲ୍। କରୋନା ବେଳେ ବହୁ ଯୁବକଯୁବତୀ ଚାକିରି ହରାଇଥିବା ବେଳେ ରତନଲାଲ୍ କିନ୍ତୁ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସ୍ୱାବଲମ୍ୱି ହେବା ସହିତ ଅନ୍ୟ ପାଇଁ ରୋଜଗାରର ମାଧ୍ୟମ ପାଲଟିଛନ୍ତି।
The post ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବେ ସଫଳ ମାଛ ଚାଷୀ appeared first on Odisha Reporter.
from Odisha Reporter https://ift.tt/3gJfaqo
No comments:
Post a Comment