ଉମରକୋଟ(କାର୍ତ୍ତିକ ବେହେରା): ଭିନ୍ନ ଜାତିରେ ପ୍ରେମ ବିବାହ କରି କଙ୍ଗାରୁ କୋର୍ଟର କୋପ ଭୋଗ କରୁଛନ୍ତି ଏକ ନବ ବିବାହିତ ଯୋଡ଼ି । ଭିନ୍ନ ଜାତିରେ ବିବାହ କରିବା ହେତୁ ସରକାରଙ୍କଠାରୁ ମିଳିଲା ପ୍ରୋତ୍ସାହନ ରାଶି। ହେଲେ ଉକ୍ତ ଟଙ୍କାର ଅଧାରୁ ଅଧିକ କଙ୍ଗାରୁ କୋର୍ଟ ନେଇ ସାରିଥିବା ବେଳେ ତଥାପି ସରିନି ନିର୍ଯତନାର କାହାଣୀ।
କଙ୍ଗାରୁ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ଯୁବକଙ୍କୁ ସାମାଜିକ ବାସନ୍ଦ କରାଯିବା ସହ ପତ୍ନୀଙ୍କଠାରୁ ବି ଅଲଗା କରି ଦିଆଯାଇଛି। କୋର୍ଟ ତଥା ମନ୍ଦିରରେ ବିବାହ ପରେ ୨ ମାସର ହସଖୁସିର ସଂସାର କରିଥିବା ଏହି ପ୍ରେମ ପକ୍ଷୀ ଏବେ ବିରହ ଯାତନାରେ ଛଟପଟ ହେଉଛନ୍ତି। ଏବେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ।
ଖାଡଙ୍ଗା ଗାଁର ପ୍ରତାପ କଲାର ନାମକ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ଘରୁ ବାହାରି ଛତିଶଗଡ଼ର କୋଣ୍ଡାଗାଁକୁ ଯାଇ କୋର୍ଟରେ ଏବଂ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ସମସ୍ତେ ଗ୍ରହଣ କରିନେବେ ଭାବି ସେମାନେ ନିଜ ଗାଁକୁ ଫେରିଥିଲେ। କିନ୍ତୁ ଫଳ ହେଲା ଓଲଟା।
ସଂପୃକ୍ତ ଯୁବତୀଙ୍କ ପରିବାର ଲୋକେ ପ୍ରତାପଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ। ଏହାପରେ ଝିଅକୁ ମାରପିଟ୍ କରି ଘରକୁ ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତାପ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଉଭୟ ପକ୍ଷଙ୍କୁ ବୁଝାମଣା କରି ଘରକୁ ଫେରାଇ ଦେଇଥିଲା । ଶେଷରେ ଏହି ନବ ଦମ୍ପତ୍ତି ଦୁଇ ମାସ କାଳ ଏକା ସାଙ୍ଗରେ ରହି ନିଜ ହସଖୁସିର ସଂସାର ମଧ୍ୟ କରିଥିଲେ। କିନ୍ତୁ ଏହି ଖୁସି ବେଶି ଦିନ ତିଷ୍ଠି ପାରିଲାନି।
ହାଟଭରଣ୍ଡିରେ ଏକ କଙ୍ଗାରୁ କୋର୍ଟ କରି ପ୍ରତାପଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହ ବାବଦକୁ ମିଳିଥିବା ସରକାରଙ୍କ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ମଧ୍ୟରୁ ୩୨ ହଜାର ଟଙ୍କା ପ୍ରତାପ ଦାଖଲ କରି ସାରିଛନ୍ତି କଙ୍ଗାରୁ କୋର୍ଟରେ । ତଥାପି ମାମଲାର କୌଣସି ସମାଧାନ ହୋଇପାରି ନାହିଁ। ଏପରିକି ଉଭୟଙ୍କୁ ଅଲଗା ଅଲଗା କରିଦିଆଯାଇଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା କହିଛି ପୁଲିସ୍। ଅଭିଯୋଗ ଆସିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଇଘର ଥାନା ଅଧିକାରୀ ଅଭୟ ବେହେରା ।
The post କଙ୍ଗାରୁ କୋର୍ଟର କୋପ; ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କଲା appeared first on Odisha Reporter.
from Odisha Reporter https://ift.tt/36KzJzw
No comments:
Post a Comment