ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗତକାଲିଠାରୁ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଇନିଂସ୍ରେ ପୃଥ୍ୱୀ ଶ’ ଶୂନରେ ଆଉଟ୍ ହେବା ଘଟଣାକୁ ଭାରତୀୟ କ୍ରିକେଟ୍ପ୍ରେମୀ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେଥିପାଇଁ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। ଅନ୍ୟପକ୍ଷରେ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଯାହା ଆଶଙ୍କା କରିଥିଲେ, ତାହା ଘଟିଛି। ସେ ଯେମିତି ଆଶଙ୍କା କରିଥିଲେ ପୃଥ୍ୱୀ ଶ’ ଠିକ୍ ସେହି ଢଙ୍ଗରେ ଆଉଟ୍ ହୋଇଥିଲେ। ଆଇପିଏଲ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରହିଥିବା ପଣ୍ଟିଂ ଯୁବ ଖେଳାଳି ପୃଥ୍ୱୀ ଶ’ଙ୍କ ବ୍ୟାଟିଂ ଷ୍ଟାଇଲ୍ରେ ଥିବା ତ୍ରୁଟିକୁ ବେଶ୍ ଭଲ ଭାବେ ଜାଣିଥିବା ଯୋଗୁ ଏଭଳି ଆଶଙ୍କା କରିଥିଲେ। ଆଉ ସେୟା ହିଁ ଘଟିଲା।
ପଣ୍ଟିଂଙ୍କ କହିଥିଲେ, ବ୍ୟାଟିଂ କଲା ବେଳେ ଅନେକ ସମୟରେ ପୃଥ୍ୱୀ ଶ’ ତାଙ୍କ ବ୍ୟାଟ୍ ଓ ପ୍ୟାଡ୍ ମଧ୍ୟରେ ବହୁତ ଗ୍ୟାପ୍ ରଖି ଦିଅନ୍ତି। ଆଉ ମିଚେଲ ଷ୍ଟାର୍କ ତାଙ୍କର ସେହି ଦୁର୍ବଳତାକୁ ଟାର୍ଗେଟ୍ କରିପାରନ୍ତି। ଗତକାଲି ଷ୍ଟାର୍କ ତାହା ହିଁ କଲେ। ସଠିକ୍ ଫୁଟ୍ୱାର୍କ ନ କରି ଷ୍ଟାର୍କଙ୍କ ବଲ୍କୁ ଡ୍ରାଇଭ୍ କରିବାକୁ ଉଦ୍ୟମ କଲା ବେଳେ କ୍ଲିନ୍ ବୋଲ୍ଡ ହୋଇଥିଲେ ଶ’, ତାହା ପୁଣି ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ।
ଏଥିପାଇଁ କେହି କେହି ପଣ୍ଟିଂଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରିଛନ୍ତି। ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ଭାବେ ପୃଥ୍ୱୀ ଶ’ଙ୍କ ଏହି ଦୁର୍ବଳତାକୁ ଦୂର କରିବାକୁ ଉଦ୍ୟମ କରିଥିଲେ ଭଲ ହୋଇଥା’ନ୍ତା ବୋଲି ସମାଲୋଚକମାନେ କହିଛନ୍ତି।
ସୂଚନାଯୋଗ୍ୟ, ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ପୃଥ୍ୱୀ ଶ’ଙ୍କ ପ୍ରଦର୍ଶନ ଭଲ ନଥିଲା। ତଥାପି ତାଙ୍କୁ ପ୍ରଥମ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଉଭୟ ସୁନୀଲ ଗାଭାସ୍କର ଓ ଆଲାନ ବର୍ଡର ମଧ୍ୟ ପୃଥ୍ୱୀ ଶ’ଙ୍କ ବଦଳରେ ଶୁବମନ ଗିଲ୍ଙ୍କୁ ଓପନିଂ କରିବାର ସୁଯୋଗ ଦିଆଯିବା ଉଚିତ୍ ବୋଲି ମତ ଦେଇଥିଲେ।
The post ପଣ୍ଟିଂ ଯେମିତି ଆଶଙ୍କା କରିଥିଲେ ଶ’ ସେମିତି ଆଉଟ୍ ହେଲେ appeared first on Odisha Reporter.
from Odisha Reporter https://ift.tt/34ocny5
No comments:
Post a Comment