ବିନିକା (ଦିଲ୍ଲୀପ ସାହୁ): ସ୍କୁଲ ନା ଭବ୍ୟ ଉଦ୍ୟାନ! ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲରେ ହୋଇଥିବା ବଗିଚା ଏପରି ଭ୍ରମ ସୃଷ୍ଟି କରୁଛି। ଯେଉଁଠି ରହିଛି ଔଷଧୀୟ ବୃକ୍ଷ ଓ ରଙ୍ଗ ବେରଙ୍ଗର ଫୁଲ। ଝରଣା ମଧ୍ୟ କୁଳୁ କୁଳୁ ନାଦ କରି ବୋହି ଯାଉଛି। ଥରେ ଏଠାକୁ ଆସିଲେ ବାର୍ ବାର୍ ଆସିବାକୁ ମନ କହିବ।
ମହାମାରୀ କରୋନାରେ ବଦଳି ଯାଇଛି ଡୁଙ୍ଗୁରିପାଲି ବ୍ଲକ୍ ସମଲେଇଚୁଆଁ ହାଇସ୍କୁଲର ପରିବେଶ। ଜୀବନ ଗଢ଼ୁଥିବା ଶିକ୍ଷାନୁଷ୍ଠାନରେ ଖିଲି ଖିଲି ହସୁଛି ରଙ୍ଗ ବେରଙ୍ଗର ଫୁଲ। ସୌନ୍ଦର୍ଯ୍ୟକୁ ଦ୍ୱି’ଗୁଣିତ କରିଛି ଝରଣା। କଂକ୍ରିଟ୍ରେ ପାହାଡ଼ କରାଯାଇଥିବା ଝରଣାରୁ କୁଳୁକୁଳୁ ନାଦ କରି ବୋହି ଯାଉଛି ପାଣି। ଯାହାର ମନୋରମ ଦୃଶ୍ୟ ଅତିବ ମନୋରମ। ଥରେ ସେହି ବଗିଚାକୁ ଦେଖିବାକୁ ଆସିଲେ ବାରମ୍ୱାର ଆସିବାକୁ ମନ ବଳାଇବ। ଲକ୍ଡାଉନ୍ ଓ ଶର୍ଟଡାଉନ୍ ବେଳେ ସମସ୍ତେ ଘରେ ବନ୍ଦୀ ଜୀବନ କାଟୁଥିବା ବେଳେ ଶିକ୍ଷମାନେ ବିଦ୍ୟାଳୟକୁ ନୂଆ ରୂପ ଦେବାରେ ଲାଗି ପଡ଼ିଥିଲେ। ଶିକ୍ଷକ ସୁରେଶ ପୂଜାହାରୀ ଓ ସହଯୋଗୀ ଶିକ୍ଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏହା ସମ୍ଭବପର ହୋଇଛି।
ଏବେ ବିଦ୍ୟାଳୟ ବଗିଚାରେ ୩୫ ପ୍ରକାର ଫୁଲଗଛ ଓ ୪୦ ପ୍ରକାର ଔଷଧୀୟ ଚାରା ରୋପଣ କରାଯାଇଛି। ଫଲ ବଗିଚା ସହ ବିଦ୍ୟାଳୟରେ ପରିବା ଚାଷ ମଧ୍ୟ କରାଯାଇଛି। ଶିକ୍ଷକଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକ ଓ ଅଭିଭାବକ ସ୍ୱାଗତ କରିଛନ୍ତି। ମହାମାରୀ କରୋନା ପାଇଁ ଏବେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେବଳ ଶିକ୍ଷକମାନେ ବିଦ୍ୟାଳୟ ଯାଇ ଅଫିସ୍ କାମ କରୁଛନ୍ତି।
ଶିକ୍ଷକ ସୁରେଶ ପୂଜାହାରୀ କହିଛନ୍ତି-“କରୋନା ପାଇଁ ଦୀର୍ଘ ୯ ମାସ ହେଲା ସ୍କୁଲ ବନ୍ଦ ରହିଲା। ପିଲାମାନେ ଘରେ ରହିଲେ। ବିଦ୍ୟାଳୟ ଆସିଲେ ନାହିଁ। ଏହି ସମୟରେ କିଛି ନୂଆ କରିବା ଆଶାରେ ବିଦ୍ୟାଳୟ ବଗିଚା ସୌନ୍ଦର୍ଯ୍ୟ କାମରେ ଲାଗି ପଡ଼ିଥିଲୁ। କିଛି ବଦାନ୍ୟ ବ୍ୟକ୍ତି ଓ ସରକାରଙ୍କ ସହଯୋଗରେ ଏହା ସମ୍ଭବପର ହୋଇପାରିଛି।”
ପିଲାଙ୍କୁ ସ୍କୁଲଙ୍କୁ ଆଣିବାକୁ ଓ ତା’ସହ ଶିକ୍ଷା ସହ ଯୋଡ଼ିବା ପାଇଁ ଅନେକ ପ୍ରାୟସ ହେଉଛି। ତେବେ ସ୍କୁଲର ପରିବେଶକୁ ଏକ ଭିନ୍ନ ଓ ନିଆରା ଚେହେରା ଦେବା ପରେ ଲୋକେ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ଅଧିକ ଇଚ୍ଛା ପ୍ରକାଶ କରିଛନ୍ତି। ପିଲାଙ୍କୁ ପ୍ରାକୃତିକ ମାହୋଲ୍ ମିଳିବା ସହ ସ୍ୱାସ୍ଥ୍ୟକର ପରିବେଶ ଏଠି ମିଳୁଛି। ଏହି ସ୍କୁଲ ଗାର୍ଡେନ କେବଳ ପିଲାଙ୍କ କାମରେ ଆସିଛି, ତାନୁହେଁ ଏହାଦ୍ୱାରା ଲକ୍ଡାଉନ ବେଳେ ବେକାର ହୋଇ ବସିଥିବା ଲୋକଙ୍କୁ ମଧ୍ୟ ଯୋଗାଇଛି ରୋଜଗାର।
The post ସ୍କୁଲ ନା ଭବ୍ୟ ଉଦ୍ୟାନ! ଥରେ ଦେଖିଲେ ଆଖି ଲାଗିଯିବ appeared first on Odisha Reporter.
from Odisha Reporter https://ift.tt/2WjWcgK
No comments:
Post a Comment