ନୂଆଦିଲ୍ଲୀ: କଂଗ୍ରେସରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କୋଣଠେସା ହୋଇଥିବା ୨୩ ନେତାଙ୍କର ଆଜି ମାନଭଞ୍ଜନ ହେବ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇ ଦଳ ପୁଣିଥରେ ଏକ ହେବ। ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ ଭଳି ରାଜ୍ୟରେ ନିର୍ବାଚନ ରହିଛି। ତେଣୁ ନୂଆ ବର୍ଷରେ କଂଗ୍ରେସ ନୂଆ ଜୋଶରେ ଆସିବ ବୋଲି ଜଣାପଡ଼ିଛି। ସୋନିଆଙ୍କ ବାସଭବନରେ ଅସନ୍ତୁଷ୍ଟ ନେତାଙ୍କୁ ନେଇ ଆଜି ହେବାକୁ ଥିବା ବୈଠକରେ ଦଳର ଅନ୍ୟ ହେବିଓ୍ୱେଟ୍ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଆଗକୁ ଦଳର ଅଧ୍ୟକ୍ଷ ନିର୍ବାଚନ ହେବ। ଏହା ପୂର୍ବରୁ ସୋନିଆଙ୍କ ଏହି ବୈଠକରୁ ହିଁ ଦଳର ଆଗାମୀ ଅଧ୍ୟକ୍ଷ ପଦ ନେଇ ଏକ ପ୍ରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
ହାଇକମାଣ୍ଡ ଓ ଅସନ୍ତୁଷ୍ଟଙ୍କ ସହ ହେବାକୁ ଥିବା ଏହି ବୈଠକ ପଛରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି। କାରଣ ନିକଟରେ କମଲନାଥ ସୋନିଆଙ୍କୁ ଭେଟିଥିଲେ।
ରାହୁଲ, ପ୍ରିୟଙ୍କାଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଏ.କେ ଆଣ୍ଟୋନୀ, ପି ଚିଦାମ୍ବରମ୍, ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶଶି ଥରୁର, ଭୁପିନ୍ଦର ସିଂ ହୁଡା, କେସି ବେନୁ ଗୋପାଲ, ରଣଦୀପ ସୁରଜେୱାଲା, ହରିଶ ରାୱତଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଏହି ବୈଠକ ପୂର୍ବରୁ ଗାନ୍ଧୀ ପରିବାରର ବ୍ଲୁ-ଆଏଡ ବୟ ଥିବା ରଣଦୀପ ସୁରଜେଓ୍ୱାଲା ଶୁକ୍ରବାର କହିଥିଲେ ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ହେବା ପାଇଁ ଏକମାତ୍ର ବ୍ୟକ୍ତି। ଦଳର ସମସ୍ତ ନେତା ମଧ୍ୟ ଏ ବାବଦରେ ସୋନିଆଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି।
ସୁରଜେୱାଲା କହିଛନ୍ତି ଯେ କରୋନା ପାଇଁ କଂଗ୍ରେସ ସଭାପତି ଅନେକ ନେତା ଓ କର୍ମୀଙ୍କୁ ଭେଟି ପାରୁ ନାହାନ୍ତି। ତେବେ ଆଗାମୀ କିଛି ଦିନରେ ସେ ଦଳୀୟ ନେତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଭେଟିବେ।
ସୂଚନାଯୋଗ୍ୟ, ଗତ ଅଗଷ୍ଟରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଏବଂ କପିଲ ସିବଲଙ୍କ ସମେତ ୨୩ ଜଣ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ଜଣେ ଦୃଶ୍ୟମାନ ସଭାପତି ନିଯୁକ୍ତ କରିବା ପାଇଁ ଦାବି କରିଥିଲେ। ଏମିତିକି ସାଂଗଠନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ପାଇଁ ଦାବି କରିଥିଲେ। କେବେ ଅନେକ ନେତା କିନ୍ତୁ ଏହି ୨୩ ନେତାଙ୍କ ବିରୋଧରେ ବର୍ଷିଥିଲେ। ଗୁଲାମ ନବୀ ଆଜାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ କିଛି ନେତା। ତେବେ ବିହାର ବିଧାନସଭା ନିର୍ବାଚନରେ ଦଳ ଖରାପ ପ୍ରଦର୍ଶନ କରିବା ପରେ ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲ ଦଳର ନେତୃତ୍ୱକୁ ନେଇ ଖୋଲାଖୋଲି ସମାଲୋଚନା କରିଥିଲେ।
The post ଅସନ୍ତୁଷ୍ଟଙ୍କ ମାନଭଞ୍ଜନ କରିବେ ହାଇକମାଣ୍ଡ appeared first on Odisha Reporter.
from Odisha Reporter https://ift.tt/37xs7Ri
No comments:
Post a Comment