ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ୍ ହାଥରସ ଘଟଣାରେ ଠିକ୍ ଭାବେ ତଦନ୍ତ କରିବାରେ ବିଫଳ ହୋଇଥିବା କଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି କ୍ଷମତାସୀନ ବିଜେପିର ଜଣେ ବରିଷ୍ଠ ନେତା। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜ୍ୟ ପୁଲିସ୍ ଠିକ୍ ଭାବେ ତା’ର କାମ କରିପାରିବ ବୋଲି ବିଶ୍ୱାସ କରି ନଥିଲେ ବୋଲି ନେତା ଜଣଙ୍କ କହିଛନ୍ତି।
ଉତ୍ତର ପ୍ରଦେଶ ପୁଲିସ୍ ବହୁଚର୍ଚ୍ଚିତ ହାଥରସ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ହୋଇ ନଥିବା ଆରମ୍ଭରୁ କହିଥିଲା। ହେଲେ ସିବିଆଇ ୨୦ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚାର୍ଜଶିଟ୍ରେ କହିବାକୁ ପୁଲିସ୍ତର ଅସଲ ମୁଖା ଖୋଲି ଯାଇଛି।
ଏବେ ଚାରିଆଡ଼ୁ ସମାଲୋଚନାର ଶିକାର ହେଉଥିବା ଉତ୍ତର ପ୍ରଦେଶ ପୁଲିସ୍ର ହାତ ମଧ୍ୟ ସରକାର ଛାଡ଼ିବା ଆରମ୍ଭ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ରାଜ୍ୟରେ ମନ୍ତ୍ରୀ ଥିବା ସୁନୀଲ ଭାହାରାଲା କହିଛନ୍ତି, ଉତ୍ତର ପ୍ରଦେଶ ସରକାର ସର୍ବଦା ପୀଡ଼ିତାଙ୍କ ପରିବାର ସହ ଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହିଁ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୁଲିସ୍ ଠିକ୍ ଭାବେ ତା’ର କାମ କରିପାରିବ ବୋଲି ସେ ବିଶ୍ୱାସକୁ ନେଇ ପାରୁ ନଥିଲେ। କାରଣ ସବୁ ପୁଲିସ୍ ଅଧିକାରୀ ଯେ ଭଲ ଓ ନିଷ୍ଠାର ସହ କାମ କରିବେ ବୋଲି ଭାବିବା ଭୁଲ। ପ୍ରଥମ ଦିନରୁ ହିଁ ଯୋଗୀ ଆଦିତ୍ୟନାଥ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ରହିଥିଲେ ବୋଲି ସେ କହିଛନ୍ତି।
ହାଥରସ ଘଟଣାରେ ଗିରଫ ୪ ଜଣଙ୍କ ନାଁରେ ସିବିଆଇ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି କୋର୍ଟଙ୍କୁ ଚାର୍ଜଶିଟ୍ ଦେଇଛି। ଏଥିସହ ସମସ୍ତ ୪ ଅଭିଯୁକ୍ତଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନରେ ମଧ୍ୟ ମାମଲା ରୁଜୁ କରାଯାଇଛି।
ଚଳିତ ବର୍ଷ ସେପ୍ଟେମ୍ବର ୧୪ରେ ୨୦ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ସାରା ଦେଶରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁଲିସ୍ ୪ ଜଣ ତଥାକଥିତ ଉଚ୍ଚ ଜାତିର ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା। ପରିବାର ଲୋକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରିଥିଲେ ହେଁ ଉତ୍ତର ପ୍ରଦେଶ ପୁଲିସ୍ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇ ନଥିବା କହି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲା।
ବିଶେଷ କରି ଯୁବତୀଙ୍କ ମୃତ୍ୟୁ ପରେ ପ୍ରଶାସନ ପରିବାର ଲୋକଙ୍କୁ ନ ଜଣାଇ ରାତି ଅଧରେ ଅନ୍ତିମ ସଂସ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ବିବାଦ ବଢ଼ିବାରୁ ଉତ୍ତର ପ୍ରଦେଶ ସରକାର ସିବିଆଇ ତଦନ୍ତ ସୁପାରିସ କରିଥିଲେ। ଅକ୍ଟୋବର ମାସରେ ସିବିଆଇ ତଦନ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ। ସିବିଆଇ ତଦନ୍ତ କରୁଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲ୍ରୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା।
The post ରାଜ୍ୟ ପୁଲିସ୍ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭରସା ନଥିଲା ! appeared first on Odisha Reporter.
from Odisha Reporter https://ift.tt/3nGJX9Z
No comments:
Post a Comment