ନୂଆଦିଲ୍ଲୀ: ନୂଆ ରୂପରେ ପୁଣିଥରେ ଲୋକଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। ବିଶେଷ କରି ବ୍ରିଟେନରେ କରୋନାର ନୂଆ ତଥା ଭୟଙ୍କର ଷ୍ଟ୍ରେନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ବ୍ରିଟେନରେ ରବିବାର ଠାରୁ ପୁଣି ଲକ୍ ଡାଉନ୍ ଜାରି କରାଯାଇଛି।
କରୋନାର ନୂଆ ଷ୍ଟ୍ରେନ୍ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ସଂକ୍ରମିତ କରୁଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ୭୦% ଅଧିକ ଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଛି। ସେହିପରି କିଛି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ବ୍ରିଟେନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ମଧ୍ୟ କହିଛନ୍ତି।
କେବଳ ବ୍ରିଟେନ ନୁହେଁ, କରୋନାର ନୂଆ ରୂପ ନେଦରଲ୍ୟାଣ୍ଡ୍ସ, ଡେନମାର୍କ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତି ଦିନକୁ ଦିନ ଅଣାୟାତ୍ତ ହେଉଥିବାରୁ ଜର୍ମାନୀ ଓ ନେଦରଲାଣ୍ଡସ ପଡ଼ୋଶୀ ବ୍ରିଟେନ ସହିତ ସମସ୍ତ ପ୍ରକାରର ବିମାନ ଯାତ୍ରାକୁ ବନ୍ଦ କରିଦେଇଛନ୍ତି।
ଅନ୍ୟପକ୍ଷରେ ୟୁରୋପୀୟ ଦେଶରେ କରୋନାର ନୂଆ ଷ୍ଟ୍ରେନ ଭାରତ ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ଆଜି ହେବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେବେ। ବୈଠକରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ଆଲୋଚନା କରାଯିବ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନୂଆ ରୂପରେ କରୋନା ସଂକ୍ରମଣ ଭୟଙ୍କର ଢଙ୍ଗରେ ବ୍ୟାପୁଥିବାରୁ ୟୁରୋପୀୟ ଦେଶଗୁଡ଼ିକ ବ୍ରିଟେନ ସହ ଲାଗିଥିବା ନିଜର ସୀମାକୁ ବନ୍ଦ କରିଦେଇଛନ୍ତି। ବ୍ରିଟେନକୁ ଯାଉଥିବା କିମ୍ବା ବ୍ରିଟେନରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ କଟକଣା ଲଗାଯାଇଛି।
ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମାଟ ହାନକୋକ କହିଛନ୍ତି, ସରକାର ଲଣ୍ଡନ ସମେତ ସମଗ୍ର ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଖ୍ରୀଷ୍ଟମାସ ପାଇଁ କଠୋର ଲକ୍ ଡାଉନ୍ ଲାଗୁ କରିଛନ୍ତି। ଡିସେମ୍ବର ୩୦ ଯାଏ ଏହି ସବୁ ଅଞ୍ଚଳରେ ଲକ୍ଡାଉନ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଲକଡାଉନ ଯୋଗୁ ଦେଶର ୩୧% ଲୋକ ପ୍ରଭାବିତ ହେବେ। କିନ୍ତୁ ବ୍ରିଟେନର ଅନ୍ୟ ସବୁ ପ୍ରାନ୍ତରେ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯିବ। ସେ ନୂଆ କରୋନା ଭାଇରସ ନିୟନ୍ତ୍ରଣ ବାହାରକୁ ଚାଲିଥିବା ମଧ୍ୟ କହିଛନ୍ତି।
The post ଆତଙ୍କ ସୃଷ୍ଟି କଲାଣି କରୋନାର ନୂଆ ରୂପ, ସରକାର ଡାକିଲେ ଜରୁରୀ ବୈଠକ appeared first on Odisha Reporter.
from Odisha Reporter https://ift.tt/3ayQ3p9
No comments:
Post a Comment