ଶିଶୁ ନିଖୋଜ, ପୁଲିସ୍ ନିରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

ଶିଶୁ ନିଖୋଜ, ପୁଲିସ୍ ନିରବ

କଣ୍ଟାବାଞ୍ଜି/ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମା’ ଆଖିରୁ ଲୁହ ଶୁଖୁନି। ଝିଅର କଥା ମନେ ପଡ଼ିଲେ ବନ୍ଧବାଡ଼ ମାନୁନି ଅମାନିଆ ଲୁହ।  କେତେ ଆଦର, ସ୍ନେହରେ ବଢ଼ାଇଥିଲା । ୬ ବର୍ଷ ଯାହାକୁ କାନିରେ ଜାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମା’କୁ ଜଣାନାହିଁ। ୟା ଭିତରେ ୬ ବର୍ଷ ବିତି ଗଲାଣି। ଖାଲି ଯାହା ଝିଅର ଫଟୋ ହିଁ ମା’ର ଶେଷ ସନ୍ତକ। ଝିଅ କଥା ମନେ ପଡ଼ିଗଲେ ଫଟୋଟିକୁ ଆଉଁସି ଦେଉଛି। ଏପରି ଛାତି ଥରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକରେ।

କଣ୍ଟାବାଞ୍ଜି ବ୍ଲକ କୁକୁଡ଼ାହାଡ଼ ଗାଁର ବିନୋଦ ସରାଫ ଓ ତାଙ୍କ ସ୍ତ୍ରୀ ୬ ବର୍ଷ ତଳେ ଦୁଇ ଝିଅ ଓ ପୁଅକୁ ଧରି କଣ୍ଟାବାଞ୍ଜି ରାବଣପୋଡ଼ି ଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ସେଠି ୬ ବର୍ଷର ବଡ଼ ଝିଅ ସ୍ୱପ୍ନା ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲା । ନିଖୋଜ ଝିଅକୁ ଖୋଜି ଦେବା ପାଇଁ ତିନି ମାସ ଯାଏ ଥାନାକୁ ଦୌଡ଼ିଥିଲେ ବାପାମା’ । ହେଲେ ଫଳ କିଛି ମିଳିନଥିଲା । ନା’ ଝିଅକୁ ପାଇଥିଲେ ନା ତା ସମ୍ପର୍କରେ କୌଣସି ଖୋଜଖବର ମିଳିଥିଲା । ୟା ଭିତରେ ୬ ବର୍ଷ ବିତିଯାଇଥିଲେ ବି ନିଖୋଜ ସ୍ୱପ୍ନା ସମ୍ପର୍କରେ ଜାଣିପାରିନି ପୁଲିସ୍‌। ଝିଅ ଫେରିବା ବାଟକୁ କିନ୍ତୁ ଚାହିଁ ରହିଛନ୍ତି ବାପାମା’।

ଥାନାକୁ ଦୌଡ଼ି ଦୌଡ଼ି ଆମକୁ ନ୍ୟାୟ ମିଳୁନି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ ହେଲେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ସ୍ୱପ୍ନାଙ୍କ ବାପା।

ସେହିପରି ନିଜ ପିଲା ଖୋଜଖବର ପାଇ ନ ପାରି ଛଟପଟ ହେଉଛନ୍ତି କଣ୍ଟାବାଞ୍ଜିର ଚାଉଳସୁଖା ଗାଁର ଶ୍ରୀଜିତ ଭୋଇ । ୧୨ ବର୍ଷର ପୁଅ ଦେବରାଜ ଗତ ଜାନୁଆରୀରେ ଗାଁ ନିକଟରେ ଫୁଟବଲ୍ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଏତଲା ବି ଦିଆଯାଇଥିଲା । ହେଲେ ୧୧ ମାସ ପରେ ବି ଦେବରାଜଙ୍କ ପତ୍ତା ମିଳିନି । ଥାନାରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫାଇଦା ହୋଇନି ବୋଲି କହିଛନ୍ତି ଶ୍ରୀଜିତ।

ଏପରି ଅନେକ ଘଟଣା ଘଟୁଛି, ଥାନାରେ ଅଭିଯୋଗ ବି ହେଉଛି। ହେଲେ ଏସବୁ ଅଭିଯୋଗ କେବଳ ଫାଇଲ୍ ତଳେ ଚାପି ହେଇ ରହି ଯାଉଥିବା କହିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି । ଅପରପକ୍ଷେ ଘଟଣାକୁ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଏସ୍‌ପି ।

ପରୀ, ପିହୁ, ସ୍ୱାତୀ ଭଳି ରାଜ୍ୟରେ ଏମିତି ଅନେକ ଶିଶୁ ପ୍ରତିମାସ ନିଖୋଜ ହେଉଛନ୍ତି । କାହାର ପତ୍ତା ମିଳୁଛି ତ ଅନେକ ନିଖୋଜ ତାଲିକାରେ ହିଁ ରହିଯାଉଛନ୍ତି । ପୁଲିସ୍‌ରେ ଏତଲା ଦିଆଯାଏ, କିଛି ଦିନ ଖୋଜାଖୋଜି ବି ଚାଲେ। ହେଲେ ଦିନ ଗଡ଼ିବା ସହ ମାମଲା ସବୁ ପୁଲିସ୍‌ ଫାଇଲ୍ ତଳେ ସବୁ ଦିନ ପାଇଁ ଚାପି ହୋଇ ରହିଯାଏ।

The post ଶିଶୁ ନିଖୋଜ, ପୁଲିସ୍ ନିରବ appeared first on Odisha Reporter.



from Odisha Reporter https://ift.tt/3ajqrww

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages