ଚେନ୍ନାଇ: ସିବିଆଇ ହେପାଜତରେ ଥିବା ୧୦୩ କେଜି ସୁନା ଗାଏବ ହୋଇଯାଇଛି, ଯାହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା। ତାମିଲନାଡୁରେ ଏହି ଘଟଣା ଘଟିଛି। ଶୁକ୍ରବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସିବି-ସିଆଇଡିକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।
୨୦୧୨ ମସିହାରେ ଚେନ୍ନାଇର ସୁରାନା କୋର୍ପୋରେସନ୍ ଲିମିଟେଡ୍ରେ ସିବିଆଇ ରେଡ୍ କରିଥିଲା। ଏହି ରେଡ୍ ସମୟରେ ସିବିଆଇ ୪୦୦.୫ କେଜି ସୁନା ଇଟା ଓ ଅଳଙ୍କାର ଜବତ କରିଥିଲେ। ଏହି ସବୁ ସୁନାକୁ ସୁରାନା କୋର୍ପୋରେସନ୍ର ସିନ୍ଦୁକ ଓ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଥିଲା, ଯେଉଁଥିରେ ସିବିଆଇର ତାଲା ଲଗାଯିବା ସହ ସିଲ୍ ମରାଯାଇଥିଲା।
ସିବିଆଇ ପକ୍ଷରୁ କୁହାଯାଇଛି ଯେ ସିନ୍ଦୁକ ଓ ଷ୍ଟ୍ରଙ୍ଗ୍ ରୁମ୍ର ୭୨ରୁ ଅଧିକ ଚାବି ଚେନ୍ନାଇ ପ୍ରିନ୍ସିପଲ ସ୍ପେଶାଲ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ସହିତ ଏହି କେନ୍ଦ୍ରୀୟ ସଂସ୍ଥା ଦାବି କରିଛି ଯେ ରେଡ୍ ବେଳେ ଜବତ ସୁନା ଇଟାଗୁଡ଼ିକୁ ଏକାଠି ଓଜନ କରାଯାଇଥିଲା। କିନ୍ତୁ ଯେତେବେଳେ ସୁରାନା ଓ ଏସ୍ବିଆଇ ମଧ୍ୟସ୍ଥ ଋଣ ପରିଶୋଧ ବନ୍ଦୋବସ୍ତ ପାଇଁ ନିକାଶକାରୀଙ୍କୁ ସେଗୁଡ଼ିକୁ ହସ୍ତାନ୍ତର କରାଗଲା ସେତେବେଳେ ଗୋଟି ଗୋଟି କରି ଓଜନ କରାଗଲା। ସେଥିପାଇଁ ଓଜନରେ ପ୍ରଭେଦ ଦେଖାଯାଇଥିବା ସିବିଆଇ ଯୁକ୍ତି ବାଢ଼ିଥିବା ବେଳେ ହାଇକୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ଏହା ସହିତ ଜଣେ ଏସ୍ପି ସ୍ତରର ଅଫିସରଙ୍କ ନେତୃତ୍ୱରେ ଘଟଣାର ସିବି-ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସ୍ଥାନୀୟ ପୁଲିସ୍ ଦ୍ୱାରା ଘଟଣାର ତଦନ୍ତ କରାଗଲେ ସିବିଆଇର ସମ୍ମାନହାନୀ ହେବ ବୋଲି କୋର୍ଟରେ ଯୁକ୍ତି ବଢ଼ାଯାଇଥିଲା। ଏହାର ଜବାବରେ କୋର୍ଟ କହିଥିଲେ ଯେ ଆଇନ ଏଭଳି ସିନ୍ଧାନ୍ତକୁ ଅନୁମତି ଦିଏନାହିଁ। ସମସ୍ତ ପୁଲିସ୍ କର୍ମଚାରୀଙ୍କ ଉପରେ ବିଶ୍ୱାସ ରହିବା ଉଚିତ୍। ସିବିଆଇର ସ୍ୱତନ୍ତ୍ର ଶିଙ୍ଗ ଅଛି କିନ୍ତୁ ସ୍ଥାନୀୟ ପୁଲିସ୍ର କେବଳ ଲାଙ୍ଗୁଡ଼ି ଅଛି ଭଳି କଥା କହିବାକୁ କାହାକୁ ସୁଯୋଗ ଦେବା ଉଚିତ୍ ନୁହେଁ।
The post ସିବିଆଇ ହେପାଜତରୁ ୧୦୩ କେଜି ସୁନା ଗାଏବ, ହାଇକୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ appeared first on Odisha Reporter.
from Odisha Reporter https://ift.tt/378JFCQ
No comments:
Post a Comment