ମଦୁରାଇ: ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହେଉଥିବା ବିଭିନ୍ନ ବିଷୟବସ୍ତୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମାଡ୍ରାସ ହାଇକୋର୍ଟ। ଚ୍ୟାନେଲ ଗୁଡ଼ିକ ଅଧିକ ଦାୟିତ୍ୱବାନ ହେବା ଦରକାର। ନିଜ ଇଚ୍ଛା ଅନୁସାରେ ଯେକୌଣସି ବିଷୟବସ୍ତୁ ପ୍ରସାରଣ କରିବା ପୂର୍ବରୁ ସେମାନେ ଥରେ ଚିନ୍ତା କରିବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି।
ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ଏନ୍ କିରୁବାକରନ ଓ ଜଷ୍ଟିସ ବି ପୁଗାଲେନ୍ଧି କହିଛନ୍ତି ଯେ ଟିଭି ଚ୍ୟାନେଲ ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ବ୍ୟବସ୍ଥା ହେବା ନିହାତି ଜରୁରୀ।
ନିକଟରେ ଦୁଇଟି ପିଟିସନ ମାଡ୍ରାସ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଗୋଟିଏରେ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଅଶ୍ଳୀଳ ବିଜ୍ଞାପନ ଓ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ବ୍ୟବସ୍ଥା କରନ୍ତୁ ବୋଲି କୁହାଯାଇଥିଲା। ସେହିପରି ଏଥିରେ ସାମିଲ ଥିବ ଟିଭି ଚ୍ୟାନେଲ ଓ କେବୁଲ ଅପରେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା।
ଆଉ ଗୋଟିଏ ଆବେଦନରେ ଅନଲାଇନ ଗେମିଂ ଗ୍ରୁପ୍ ସାଇବର କ୍ରାଇମ, ଦୁର୍ନୀତି ଓ ବେଆଇନ ତଥ୍ୟ ନେବା କାର୍ଯ୍ୟରେ ଲିପ୍ତ ରହିଥିବାରୁ ଏଗୁଡ଼ିକୁ ବ୍ୟାନ୍ କରିବା ପାଇଁ କୁହାଯାଇଥିଲା। ବିଶେଷ କରି ବିଭିନ୍ନ ବେଟିଂ ଆପ୍ର ପ୍ରମୋସନ ଟିଭିରେ କରାଯାଉଛି। ଏଥିପାଇଁ ବଡ଼ବଡ଼ ସେଲେବ୍ରେଟିଙ୍କ ଦ୍ୱାରା କରାଯାଉଥିବା ବିଜ୍ଞାପନ ଟିଭିରେ ପ୍ରସାରଣ କରାଯାଉଛି। ଏହା ଉପରେ ରୋକ ଲଗାଇବାକୁ ଆବେଦନକାରୀ କହିଥିଲେ।
କୋର୍ଟ ଏହାର ଶୁଣାଣି କରି କହିଛନ୍ତି ଯେ ୨୦୦୮ ମୁମ୍ବାଇ ଆକ୍ରମଣ ବେଳେ ଟିଭି ଚ୍ୟାନେଲ ଗୁଡ଼ିକ ସିଧାପ୍ରସାରଣ କରୁଥିଲେ। ଏହି ଚ୍ୟାନେଲଗୁଡ଼ିକରୁ ତଥ୍ୟ ହାସଲ କରି ଆତଙ୍କବାଦୀମାନେ ସବୁ ବିଷୟରେ ଜାଣି ପାରୁଥିଲେ। ଆଉ ଗୋଟିଏ ଦିନ କର୍ଣ୍ଣାଟକାରେ ଜଣେ ଝିଅକୁ ହାଣିବା ବେଳର ଦୃଶ୍ୟ ମଧ୍ୟ ଟିଭି ଚ୍ୟାନେଲ ପ୍ରସାରଣ କଲେ।
ତେବେ ଏଭଳି ଦୃଶ୍ୟ ଟିଭି ଚ୍ୟାନେଲରେ ପ୍ରସାରଣ ହେବା ଠିକ୍ ନୁହେଁ। ଏଥିପ୍ରତି ଚ୍ୟାନେଲ କର୍ତ୍ତୃପକ୍ଷ ଦାୟିତ୍ୱବାନ ହେବା ଉଚିତ। ଏବେ ପିଲାମାନେ ଛୋଟ ବେଳୁ ଟିଭି ଦେଖୁଛନ୍ତି। ଅନେକ ପିଲା ଅନଲାଇନ କ୍ଲାସ କରୁଛନ୍ତି। ସେମାନେ ଏଭଳି ଦୃଶ୍ୟ ଦେଖିଲେ, ସେମାନଙ୍କ ଉପରେ କି ପ୍ରଭାବ ପଡ଼ିବ ସେକଥା ଥରେ ସମସ୍ତେ ଚିନ୍ତା କରିବା ଦରକାର।
ଅଶ୍ଳୀଳ ବିଜ୍ଞାପନ ଓ କାର୍ଯ୍ୟକ୍ରମ ଟିଭିରେ ପ୍ରସାରିତ କରାଯାଉଛି। ଏପରି କରି ସେମାନେ ବିନା ଅନୁମତିରେ ଘର ମଧ୍ୟରେ ପ୍ରବେଶ କରି ଯାଉଛନ୍ତି। ସେହିପରି ବେଟିଂ ଆପ୍କୁ ବେଶ ସକାରାତ୍ମକ ଢଙ୍ଗରେ ଟିଭିରେ ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରସାରଣ କରାଯାଉଛି। ଏହା ନିଶ୍ଚିତ ଏକ ଭଲ ବାର୍ତ୍ତା ଦେଉନାହିଁ। ତେଣୁ ଟିଭିରେ ପ୍ରସାରିତ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ବ୍ୟବସ୍ଥା କରାଯିବା ଉଚିତ। ଟିଭି ଚ୍ୟାନେଲ ଗୁଡ଼ିକ ନିଜ ଇଚ୍ଛାରେ ସବୁ କିଛି ପ୍ରସାରଣ କରିପାରିବେ ନାହିଁ ବୋଲି କୋର୍ଟ ମତ ଦେଇଛନ୍ତି।
The post ଟିଭି ଚ୍ୟାନେଲ ସବୁ କିଛି ପ୍ରସାରଣ କରିପାରିବେନି, ନିୟନ୍ତ୍ରଣ ଜରୁରୀ: କୋର୍ଟ appeared first on Odisha Reporter.
from Odisha Reporter https://ift.tt/38xVHFj
No comments:
Post a Comment