ନୂଆଦିଲ୍ଲୀ: ପିଲାଙ୍କ ପାଠପଢ଼ା ବ୍ୟାଗର ଓଜନ ସେମାନଙ୍କ ଶରୀରର ୧୦%ରୁ ଅଧିକ ହୋଇପାରିବ ନାହିଁ। ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀର ପିଲାଙ୍କ ପାଇଁ ଏଭଳି ନିୟମ ଲାଗୁ ହେବ। ସେହିପରି ଦ୍ୱିତୀୟ ଶ୍ରେଣୀ ଯାଏ ପିଲାମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବା ଶିକ୍ଷକ କୌଣସି ହୋମୱର୍କ ଦେଇପାରିବେ ନାହିଁ।
ଖାଲି ସେତିକି ନୁହେଁ, ସ୍କୁଲ ପିଲାଙ୍କ ବ୍ୟାଗର ଓଜନ କେତେ ରହୁଛି, ତା’କୁ ଯାଞ୍ଚ କରିବା ପାଇଁ ନିୟମିତ ବ୍ୟବସ୍ଥା ମଧ୍ୟ କରାଯିବ। ‘ପଲିସି ଅନ୍ ସ୍କୁଲ ବ୍ୟାଗ୍ ୨୦୨୦’ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଭଳି ପ୍ରସ୍ତାବ ଉପସ୍ଥାପନ କରିଛି।
ପ୍ରସ୍ତାବ ଅନୁଯାୟୀ, ବ୍ୟାଗଗୁଡ଼ିକ ଯଥା ସମ୍ଭବ ହାଲୁକା ହେବା ସହ ଏହା ଯେମିତି ପିଲାଙ୍କ କାନ୍ଧରେ ଫିଟ୍ ହୋଇ ରହିବ, ତା’ର ବ୍ୟବସ୍ଥା କରାଯିବ। କୌଣସି ପ୍ରକାରର ଚକା ଲାଗିଥିବା ବ୍ୟାଗକୁ ଅନୁମତି ମିଳିବ ନାହିଁ। ବହି ଓ ଖାତା ଛାପୁ ଥିବା ସଂସ୍ଥାଗୁଡ଼ିକ ଏହାର ଓଜନ ସମ୍ପର୍କରେ ଲିଖିତ ଭାବେ ଏଥିରେ ଉଲ୍ଲେଖ କରିବେ।
ଏନସିଇଆରଟି ପକ୍ଷରୁ କରାଯାଇଥିବା ବିଭିନ୍ନ ସର୍ଭେ ଓ ଗବେଷଣା ପରେ କେନ୍ଦ୍ର ସରକାର ଏଭଳି ପ୍ରସ୍ତାବ ଦେଇଛନ୍ତି। ସର୍ଭେ ବେଳେ ୩୫୨ଟି ସ୍କୁଲର ୩,୬୨୪ ଜଣ ପିଲା ଓ ୨୯୯୨ ଜଣ ଅଭିଭାବକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରେ ଉଭୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକୁ ସାମିଲ କରାଯାଇଥିଲା।
ନୂଆ ପଲିସିରେ ବ୍ୟାଗର ଓଜନ ସଂକ୍ରାନ୍ତରେ ୧୧ଟି ପ୍ରସ୍ତାବ ଦିଆଯାଇଛି। ଏହା ମଧ୍ୟରେ ଭଲ ଓ ପୁଷ୍ଟିକର ମିଡ୍ ଡେ ମିଲ୍ ଏବଂ ସ୍ୱଚ୍ଛ ପାଣି ବୋତଲ ପିଲାଙ୍କୁ ଦେବାକୁ କୁହାଯାଇଛି। ଏହାଦ୍ୱାରା ପିଲାମାନେ ନିଜ ବ୍ୟାଗ୍ରେ ଲଞ୍ଚ ବକ୍ସ କିମ୍ବା ପାଣି ବୋତଲ ଆଣିବେ ନାହିଁ। ଏଥିରେ ଆହୁରି କୁହାଯାଇଛି ଯେ ପ୍ରି-ପ୍ରାଇମେରୀ ପିଲାଙ୍କ ପାଇଁ କୌଣସି ବ୍ୟାଗ ବ୍ୟବସ୍ଥା ଲାଗୁହେବନି।
ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ବ୍ୟାଗ ଓଜନ ୧.୬ କେଜିରୁ ୨.୨ କେଜି ମଧ୍ୟରେ ରହିବ। ତୃତୀୟ ଶ୍ରେଣୀରୁ ୫ମ ଶ୍ରେଣୀର ପିଲାଙ୍କ ବ୍ୟାଗ ଓଜନ ୧.୭ କେଜିରୁ ୨.୫ କେଜି, ୬ଷ୍ଠ ଓ ୭ମ ଶ୍ରେଣୀର ପିଲାଙ୍କ ପାଇଁ ୨ କେଜିରୁ ୩ କେଜି, ୮ମ ଶ୍ରେଣୀର ପିଲାଙ୍କ ପାଇଁ ୨.୫ କେଜିରୁ ୪ କେଜି, ୯ମ ଓ ୧୦ମ ଶ୍ରେଣୀର ପିଲାଙ୍କ ପାଇଁ ୨.୫ କେଜିରୁ ୪.୫ କେଜି ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ବ୍ୟାଗ ଓଜନ ୩.୫ କେଜିରୁ ୫ କେଜି ମଧ୍ୟରେ ରହିବ ବୋଲି କୁହାଯାଇଛି।
ହୋମୱର୍କ ସମ୍ପର୍କରେ ବି ପଲିସିରେ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ଶ୍ରେଣୀ ଯାଏ ଶିକ୍ଷକମାନେ ପିଲାଙ୍କୁ ଘରେ ପାଠ କରି ଆସିବାକୁ କହିପାରିବେ ନାହିଁ। ସେହିପରି ୩ୟରୁ ୫ମ ଶ୍ରେଣୀର ପିଲାମାନଙ୍କୁ ସପ୍ତାହକୁ ୨ ଘଣ୍ଟା ହୋମୱର୍କ କରିବାକୁ ଦାୟିତ୍ୱ ଦିଆଯାଇ ପାରିବ। ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ହୋମୱର୍କ ଟାଇମ ଦୈନିକ ୧ ଘଣ୍ଟାରୁ ଅଧିକ ରହିପାରିବ ନାହିଁ। ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ସେମାନଙ୍କ ଶିକ୍ଷକମାନେ ଦୈନିକ ୨ ଘଣ୍ଟାରୁ ଅଧିକ ସମୟ ହୋମୱର୍କ କରିବାକୁ ଦେଇପାରିବେ ନାହିଁ।
The post ଦ୍ୱିତୀୟ ଶ୍ରେଣୀ ଯାଏ ହୋମୱର୍କ ମନା, ପିଲାଙ୍କ ବ୍ୟାଗ ଓଜନ ବି ହ୍ରାସ କଲେ ସରକାର appeared first on Odisha Reporter.
from Odisha Reporter https://ift.tt/3lWCQIH
No comments:
Post a Comment