ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ସେଇଆ ଘଟିଛି। ଭାରତରେ କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ସକ୍ଷମ ହେବାରେ ଲାଗିଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଜି ଆଉ ୧୪ ଜଣ ଏହି ତାଲିକାରେ ସାମିଲ ହୋଇଛନ୍ତି। ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚି ଯାଇଛି। ଏବେ ଏହି ୨୦ ଜଣ କେଉଁମାନଙ୍କ ସହ ମିଶିଛନ୍ତି, ସେମାନଙ୍କୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣଙ୍କୁ ସରକାରୀ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହୋମ ଆଇସୋଲେସନରେ ନ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ବ୍ରିଟେନ ଫେରନ୍ତା ନା ଆଉ କିଏ, ସେକଥା ଏଯାଏ ସ୍ପଷ୍ଟ କରିନାହାନ୍ତି। ସେହିପରି ସେମାନେ କେଉଁ ସବୁ ରାଜ୍ୟର, ସେକଥା ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ଜଣାପଡ଼ିନାହିଁ।
ଅନ୍ୟପକ୍ଷରେ ଦୁଇ ଦିନ ମଧ୍ୟରେ ୨୦ ଜଣଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ବ୍ରିଟେନରେ ଦେଖା ଯାଉଥିବା କରୋନାର ନୂଆ ଷ୍ଟ୍ରେନ ଅଧିକ ବେଗରେ ସଂକ୍ରମିତ କରୁଛି। ଏହା ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଡିସେମ୍ବର ୩୧ ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛନ୍ତି। ହେଲେ ପୂର୍ବରୁ ବ୍ରିଟେନରୁ ଫେରିଥିବା ଲୋକଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବାରେ ଲାଗିଛି।
ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଆଜି ଆମେରିକାରେ ମଧ୍ୟ ପ୍ରବେଶ କରିବାକୁ ସକ୍ଷମ ହୋଇଛି। କରୋନାର ପୁରୁଣା ରୂପ ଦ୍ୱାରା ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ଆମେରିକାରେ ସଂକ୍ରମଣ ଓ ମୃତ୍ୟୁହାର ଅଧିକ ରହିଛି। ଏସବୁ ଭିତରେ ବ୍ରିଟେନ ଭାଇରସ ଆମେରିକାରେ ପ୍ରବେଶ କରିବା ସମସ୍ତଙ୍କୁ ଆତଙ୍କିତ କରିଛି।
ବ୍ରିଟେନରେ ଦେଖାଯାଇଥିବା ନୂଆ ଭାଇରସ ୧୨ରୁ ଅଧିକ ୟୁରୋପୀୟ ରାଷ୍ଟ୍ରରେ ବି ନିଜର ଉପସ୍ଥିତି ଜାହାରି କରି ସାରିଛି। ଏହି ନୂଆ B.1.1.7 ଭାଇରସ ପୂର୍ବ ତୁଳନାରେ ଅଧିକ ୫୭% ଦ୍ରୁତଗତିରେ ସଂକ୍ରମିତ କରୁଥିବା ବୈଜ୍ଞାନିକମାନେ କହିଛନ୍ତି। B.1.1.7 ଭାଇରସ ବ୍ୟତୀତ ଦକ୍ଷିଣ ଆଫ୍ରିକାରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ ଠାବ ହୋଇଛି। ଏହି ନୂଆ କରୋନା ଭାଇରସରେ ଦକ୍ଷିଣ ଆଫ୍ରିକାରେ ୩୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି। ସେହିପରି ବ୍ରିଟେନରେ ୨ ଜଣ ଓ ଫିନଲ୍ୟାଣ୍ଡରେ ଜଣେ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
The post ଭାରତରେ କାୟା ମେଲାଉଛି କରୋନାର ନୂଆ ରୂପ, ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା appeared first on Odisha Reporter.
from Odisha Reporter https://ift.tt/2Mky0sT
No comments:
Post a Comment