ଭୋପାଲ: ଆପଣ ଯଦି ଶୀଘ୍ର ଟିକା ନେବାକୁ ଚାହୁଁଛନ୍ତି, ତା’ହେଲେ ତୁରନ୍ତ ୫ ଶହ ଟଙ୍କା ଦେଇ ନିଜର ନାଁ ପଞ୍ଜୀକରଣ କରନ୍ତୁ। ଏଭଳି ଢଙ୍ଗରେ ଲୋକଙ୍କୁ ଫୋନ୍ କରି ଠକିବାକୁ ଉଦ୍ୟମ ଆରମ୍ଭ କଲେଣି କିଛି ଦଲାଲ। ଆପଣଙ୍କ ପାଖକୁ ମଧ୍ୟ ଏମିତି ଫୋନ ଆସିପାରେ। ତେଣୁ ଏବେ ଠାରୁ ଏଥିପ୍ରତି ସତର୍କ ରୁହନ୍ତୁ।
ସରକାର ଟିକାକରଣ କିମ୍ବା ଏହାର ପଞ୍ଜୀକରଣ ପାଇଁ ଏଯାଏ କୌଣସି ଟଙ୍କା ଧାର୍ଯ୍ୟ କରନାହାନ୍ତି। ତଥାପି କିଛି ଲୋକ କରୋନାର ଭୟ ଦେଖାଇ ଲୋକଙ୍କୁ ଟିକାକରଣ ନାଁରେ ଠକିବାକୁ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି।
ସୋମବାର ମଧ୍ୟପ୍ରଦେଶର ଭୋପାଲରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପାଖକୁ ଗୋଟିଏ ଫୋନ ଆସିଥିଲା। ଏଥିରେ ତାଙ୍କୁ କୁହାଯାଇଥିଲା ଯେ ଆପଣ ଓ ଆପଣଙ୍କ ପରିବାର ଲୋକ ଯଦି ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେବାକୁ ଚାହୁଁଛନ୍ତି, ତା’ହେଲେ ୫ଶହ ଟଙ୍କା ଦେଇ ପଞ୍ଜୀକରଣ କରନ୍ତୁ।
ଭୋପାଳର ସହୟାଦ୍ରୀ ପାରିସରରେ ରହୁଥିବା ମୋନିକା ଦୁବେଙ୍କ ପରିବାରର ଜଣେ ସଦସ୍ୟଙ୍କ ପାଖକୁ ଏହି ଫୋନ କଲ ଆସିଥିଲା। ତେବେ ମୋନିକା ଏହାର ଯାଞ୍ଚ କରିବା ପରେ ଏହା ଗୋଟିଏ ଫେକ କଲ ବୋଲି ଜାଣିବାକୁ ପାଇଛନ୍ତି।
କେବଳ ମୋନିକା ନୁହନ୍ତି, ଭୋପାଳର ଜଣେ ଛାତ୍ରଙ୍କ ପାଖକୁ ମଧ୍ୟ ସମାନ ଧରଣର ଫୋନ କଲ ଆସିଥିଲା। ସେ ଏ ବିଷୟରେ ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଛାତ୍ର ଜଣଙ୍କ କହିଛନ୍ତି ଯେ ତାଙ୍କ ପାଖକୁ ଅଜଣା ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ଆକାଉଣ୍ଟ ନମ୍ବର ଓ ଆଧାର କାର୍ଡ ନମ୍ବର ମାଗିଥିଲେ। ସେ ଏହାର କାରଣ କ’ଣ ବୋଲି ପଚାରିବାରୁ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କରୋନା ଟିକାକରଣର ପଞ୍ଜୀକରଣ ପାଇଁ ଏହା ଦରକାର ବୋଲି କହିଥିଲେ। ତେବେ ଛାତ୍ର ଜଣଙ୍କ ଏହା ଏକ ଫେକ କଲ ବୋଲି ଜାଣି କୌଣସି ସୂଚନା ଦେଇ ନଥିଲେ।
ସାଇବର ସେଲ ପାଖରେ ଏହି ଅଭିଯୋଗ ପହଞ୍ଚିବା ପରେ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। ଲୋକଙ୍କୁ ଏଭଳି ଫେକ କଲର ଲୋଭରେ ନ ପଡ଼ିବା ପାଇଁ ସାଇବର ସେଲ ପକ୍ଷରୁ ସତର୍କ କରାଯାଇଛି। ସାଇବର ସେଲର ଏସପି ଡା ଗୁରକରନ ସିଂହ କହିଛନ୍ତି, ସାଇବର ଠକମାନେ ଏବେ ନୂଆ ଶୈଳୀରେ ବ୍ୟାଙ୍କ ତଥ୍ୟ ଜାଣିବାକୁ ଚେଷ୍ଟା କରୁଛନ୍ତି।
ତେଣୁ ଲୋକମାନେ ଏଥିପ୍ରତି ସତର୍କ ରୁହନ୍ତୁ। କରୋନା ଟିକାକରଣ ପାଇଁ ଯଦି କେହି ଫୋନ କରି ଓଟିପି କିମ୍ବା କୌଣସି ବ୍ୟାଙ୍କ ତଥ୍ୟ ମାଗନ୍ତି ଓ ଲିଙ୍କରେ କ୍ଲିକ କରିବାକୁ କୁହନ୍ତି, ତା’ହେଲେ ଲୋକମାନେ ଆଦୌ ଏଥିରେ ରାଜି ହୁଅନ୍ତୁ ନାହିଁ। ଦଲାଲମାନେ ଇ-ମେଲ ଓ ମୋବାଇଲକୁ ମେସେଜ କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରିପାରନ୍ତି। ଏଥିପ୍ରତି ସମସ୍ତେ ସତର୍କ ରହିବା ଉଚିତ। ଦଲାଲଙ୍କ କଥାରେ କୌଣସି ଆପ ଡାଉନଲୋଡ କରନ୍ତୁ ନାହିଁ କିମ୍ବା ଲିଙ୍କରେ କ୍ଲିକ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।
The post କରୋନା ଟିକା ଆସିବା ପୂର୍ବରୁ ମାତିଲେଣି ଦଲାଲ, ଫୋନ କରି ଲୋକଙ୍କୁ ମାଗୁଛନ୍ତି ଟଙ୍କା appeared first on Odisha Reporter.
from Odisha Reporter https://ift.tt/2JuE3tP
No comments:
Post a Comment