କୋଲକାତା: ଯଦି ଜଣେ ପ୍ରାପ୍ତ ବୟସ୍କ ମହିଳା ନିଜ ଇଚ୍ଛାରେ ବିବାହ କରୁଛନ୍ତି, ଧର୍ମ ପରିବର୍ତ୍ତନ କରୁଛନ୍ତି ଓ ନିଜ ପରିବାର ପାଖକୁ ଫେରିବାକୁ ଚାହୁଁନାହାନ୍ତି, ତା’ହେଲେ ଏଥିରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କ୍ୟାଲକାଟା ହାଇକୋର୍ଟ କହିଛନ୍ତି। ଜଣେ ହିନ୍ଦୁ ବ୍ୟକ୍ତି ତାଙ୍କ ଝିଅ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲିମ ଯୁବକଙ୍କୁ ବିବାହ କରିଥିବାରୁ ଏହା ବିରୋଧରେ ଆବେଦନ କରିଥିଲେ। ଏହା ଉପରେ ସୋମବାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି।
ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁର ଗାଁର ୪୪ ବର୍ଷୀୟ ବ୍ୟକ୍ତି ତାଙ୍କ ଆବେଦନରେ କହିଥିଲେ ଯେ ସେପ୍ଟେମ୍ବର ୧୫ରେ ତାଙ୍କ ଝିଅ ଘର ଛାଡ଼ି ଚାଲି ଯାଇଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କ ଝିଅ ଧର୍ମ ପରିବର୍ତ୍ତନ କରିଥିବା ସେ ଜାଣିବାକୁ ପାଇଥିଲେ। ଏପରି କି ଝିଅ ଜଣଙ୍କ ମୁସଲିମ ନାଁ ଧାରଣ କରି ବିବାହ ମଧ୍ୟ କରିଥିଲେ। ତାଙ୍କ ଝିଅଙ୍କୁ ଏପରି କରିବାକୁ ବାଧ୍ୟ କିମ୍ବା ପ୍ରଲୋଭିତ କରାଯାଇଥିବା ସେ ଆବେଦନରେ ଦର୍ଶାଇଥିଲେ।
ବ୍ୟକ୍ତିଙ୍କ ଓକିଲ ସୁସ୍ମିତା ସାହା ଦତ୍ତ କହିଛନ୍ତି, “ବ୍ୟାଙ୍କ ନାଁ କହି ଯୁବତୀ ଜଣଙ୍କ ଘରୁ ବାହାରି ଯାଇଥିଲେ ଓ ଆଉ ଫେରି ନଥିଲେ। ଫଳରେ ତାଙ୍କ ବାପା ମୁରୁତିଆ ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ କରିଥିଲେ।”
ପୁଲିସ୍ ଅଭିଯୋଗ ପାଇବା ପରେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ହେଲେ ସେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିଥିବା କଥା କହିଥିଲେ। ତେବେ ଝିଅକୁ ଧମକାଇ ଏଭଳି ବୟାନ ରେକର୍ଡ କରାଯାଇଥିବା ଅଭିଯୋଗ କରି ତାଙ୍କ ବାପା କ୍ୟାଲକାଟା ହାଇକୋର୍ଟରେ ଆବେଦନ କରିଥିଲେ।
ସୋମବାର ଡିଭିଜନାଲ ବେଞ୍ଚର ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ଅରଜିତ ବାନାର୍ଜୀ ଆବେଦନର ଶୁଣାଣି କରି କହିଛନ୍ତି, ଯଦି ଜଣେ ପ୍ରାପ୍ତ ବୟସ୍କ ମହିଳା ନିଜ ଇଚ୍ଛାରେ ବିବାହ କରୁଛନ୍ତି କିମ୍ବା ଧର୍ମ ପରିବର୍ତ୍ତନ କରୁଛନ୍ତି ଓ ନିଜ ପରିବାର ପାଖକୁ ଫେରିବାକୁ ଚାହୁଁନାହାନ୍ତି, ତା’ହେଲେ ଏଥିରେ କେହି ବି ହସ୍ତକ୍ଷେପ କରିପାରିବେ ନାହିଁ।
ତଥାପି କୋର୍ଟ ଯୁବତୀଙ୍କୁ ଏକାକୀ ବୁଧବାର ଦିନ ୧୦.୩୦ରେ ହାଇକୋର୍ଟଙ୍କ ଅତିରିକ୍ତ ସରକାରୀ ଓକିଲଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିବାକୁ କହିଛନ୍ତି। ଯୁବତୀଙ୍କ ବୟାନ ସେଠାରେ ରେକର୍ଡ କରାଯିବ। ଏହାପରେ ଗୁରୁବାର ଅତିରିକ୍ତ ସରକାରୀ ଓକିଲ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ରିପୋର୍ଟ ଦେଖିବା ପରେ କୋର୍ଟ ମାମଲା ଶୁଣାଣି କରିବେ।
The post ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିପାରିବେ: କୋର୍ଟ appeared first on Odisha Reporter.
from Odisha Reporter https://ift.tt/37Hxn4C
No comments:
Post a Comment