ଲକ୍ଷ୍ନୌ: ବିଜେପି ସାଂସଦ ସାକ୍ଷୀ ମହାରାଜ ଏଆଇଏମଆଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଉତ୍ତର ପ୍ରଦେଶ ଓ ବେଙ୍ଗଲ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଦଳ ପ୍ରାର୍ଥୀ ଦେବାକୁ ଥିବାରୁ ସାକ୍ଷୀ ମହାରାଜ ଏହା ଉପରେ ବଡ଼ ବୟାନ ଦେଇଛନ୍ତି। ଓୱେସୀ ବେଙ୍ଗଲ ଓ ୟୁପିରେ ପ୍ରାର୍ଥୀ ଦେଲେ ବିଜେପିକୁ ସହାୟକ ହେବ ଓ ଉଭୟ ରାଜ୍ୟରେ ଦଳ ବାଜିମାତ କରିବ ବୋଲି ସେ ମତ ଦେଇଛନ୍ତି।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଉପସ୍ଥିତି କ’ଣ ପ୍ରଭାବ ପକାଇବ ବୋଲି ପ୍ରଶ୍ନର ଉତ୍ତରରେ ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ କହିଛନ୍ତି, “ଏହା ଭଗବାନଙ୍କ ଆଶୀର୍ବାଦ ସଦୃଶ। ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ। ସେ ଆମକୁ ବିହାରରେ ସହଯୋଗ କରିଥିଲେ। ଏବେ ଉତ୍ତର ପ୍ରଦେଶରେ ମଧ୍ୟ ସେ ଆମକୁ ସହଯୋଗ କରିବେ। ଆମର ଆଶା ବେଙ୍ଗଲରେ ମଧ୍ୟ ଆଗକୁ ତାଙ୍କର ସହଯୋଗ ଆମକୁ ମିଳିବ। ତାଙ୍କ ସହଯୋଗରେ ଆମେ ଉଭୟ ରାଜ୍ୟରେ ସରକାର ଗଠନ କରିବୁ।”
ସାକ୍ଷୀ ମହାରାଜଙ୍କ ଏଭଳି ବୟାନ ପରେ ଅନେକ ସୋଶାଲ ମିଡିଆ ବ୍ୟବହାରକାରୀ ଓୱେସୀଙ୍କୁ ବିଜେପିର ବି’ ଟିମ୍ ବୋଲି କହି ସମାଲୋଚନା କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସମୟରେ ଓୱେସୀଙ୍କୁ ବିଜେପିର ବି’ ଟିମ୍ କୁହାଯାଉଥିଲା। ଗତବର୍ଷ ବିହାର ବିଧାନସଭା ନିର୍ବାଚନ ବେଳେ ଓୱେସୀ ପ୍ରାର୍ଥୀ ଦେଇଥିଲେ।
ରାଜ୍ୟରେ ଥିବା ମୁସଲିମ ଭୋଟ ଏଥିଯୋଗୁ ଭାଗଭାଗ ହୋଇ ଯାଇଥିଲା। ବିରୋଧୀଙ୍କ ପାଖକୁ ଯିବାକୁ ଥିବା ଭୋଟ ଗୁଡ଼ିକ ଓୱେସୀଙ୍କ ଦଳ ପାଖକୁ ଯାଇଥିଲା। ଖାସ ଏହି କାରଣ ପାଇଁ ଏନଡିଏ ବିହାରରେ ବାଜିମାତ କରିଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଥିଲେ।
ଓୱେସୀଙ୍କ ଦଳ ମୁସଲିମ ଡୋମିନେଣ୍ଟ ସୀମାଞ୍ଚଳରେ ୫ଟି ଆସନ ଦଖଲ କରିବାରୁ ବିରୋଧୀଙ୍କ ସବୁ ଅଙ୍କ ବିଗିଡ଼ି ଯାଇଥିଲା। ନିର୍ବାଚନ ପରେ କଂଗ୍ରେସ ଓ ଲାଲୁ ପ୍ରସାଦଙ୍କ ଆରଜେଡି ମଧ୍ୟ ଓୱେସୀଙ୍କୁ ବିଜେପିର ବି’ ଟିମ୍ କହି ସମାଲୋଚନା କରିଥିଲେ। ଡିସେମ୍ବର ମାସରେ ଓୱେସୀ ତାଙ୍କ ଦଳ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଜେପିର ପୂର୍ବତନ ସହଯୋଗୀ ଓମ ପ୍ରକାର ରାଜବହରଙ୍କ ଦଳ ସହ ମିଶି ଲଢ଼ିବ ବୋଲି ଘୋଷଣା କରିଥିଲେ।
ସେହିପରି ବେଙ୍ଗଲରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଓୱେସୀ ଘୋଷଣା କରିବା ପରେ ଟିଏମସିର ଚିନ୍ତା ବଢ଼ି ଯାଇଛି। କାରଣ ରାଜ୍ୟର ୨୭% ମୁସିଲମ କ୍ଷମତାସୀନ ଟିଏମସିକୁ ସମର୍ଥନ କରୁଛନ୍ତି। ଏପରି ସ୍ଥିତିରେ ଓୱେସୀଙ୍କ ଦଳ ନିର୍ବାଚନ ଲଢ଼ିଲେ ଭୋଟ ବିଭାଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଓୱେସୀ ଭୋଟ ବିଭାଜନ କରିଦେବେ, ତା’ହେଲେ ବେଙ୍ଗଲ ନିର୍ବାଚନରେ ବିଜେପି ବାଜିମାତ କରିନେବ ବୋଲି କୁହାଯାଉଛି।
The post ‘ୟୁପି ଓ ବେଙ୍ଗଲରେ ବିଜେପିକୁ ସହଯୋଗ କରିବେ ଓୱେସୀ’ appeared first on Odisha Reporter.
from Odisha Reporter https://ift.tt/2N4FMaH
No comments:
Post a Comment