ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁକୁ ଯିବା ସମୟରେ ଗତ ୨୬ ତାରିଖରେ ପେଟ କାଟୁଥିବା କହି ବସ୍ରୁ ଓହ୍ଲାଇ ପଡ଼ିଥିବା ଝରାଫୁଲ ଦିନ ସାରା ନିଜ ବୟଫ୍ରେଣ୍ଡ ରାକେଶଙ୍କ ସହ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ। ଏହାପରେ ଉଭୟ ଏୟାରଫିଲ୍ଡ ଥାନା ଅଧୀନ ଏକ ଫାଷ୍ଟ ଫୁଡ ସେଣ୍ଟରକୁ ବିରିୟାନି ଖାଇବାକୁ ଯାଇଥିଲେ। ଆଜି ମିଳିଥିବା ଏକ ସିସିଟିଭି ଫୁଟେଜରୁ ଏପରି ଘଟଣା ସାମନାକୁ ଆସିଛି।
ସିସିଟିଭି ଫୁଟେଜରୁ ଜଣାପଡ଼ିଛି, ଉଭୟ ୨୬ ତାରିଖ ଦିନ ୧୨ଟା ୨୦ରେ ଉକ୍ତ ଫାଷ୍ଟଫୁଡ ସେଣ୍ଟରକୁ ଯାଇ ୨ଟି ବିରିୟାନି ଅର୍ଡର କରିଥିଲେ। ହେଲେ ଝରାଫୁଲଙ୍କ ପେଟ କାଟିବାରୁ ନିକଟସ୍ଥ ଅନ୍ୟ ଏକ ଟେବୁଲକୁ ଯାଇ ଏକୁଟିଆ ବସିଥିଲେ। ଏପରିକି ସେଠାରେ ବାନ୍ତି କରି ଟେବୁଲ ଉପରେ କିଛି ସମୟ ଶୋଇପଡ଼ିଥିଲା। ଏହାପରେ ରାକେଶ ବିରିୟାନି ଖାଇ ସାରିବା ପରେ ଝରାଫୁଲ ପାଖକୁ ଯାଇ ପାଣି ପିଇବାକୁ ଦେଇଥିଲେ। ଉଭୟ ସେଠାରେ ପ୍ରାୟ ୩୫ ମିନିଟ ରହିବା ପରେ ଦିନ ୧ଟା୦୫ରେ ସେଠାରୁ ବାହାରି ଯାଇଥିଲେ।
ଏହାପରେ ଦିନ ୧ଟାରୁ ଅଢେଇଟା ଭିତରେ ଶିବସାଇ ଗେଷ୍ଟ ହାଉସକୁ ଯାଇ ରାତିରେ ସେଠାରେ ରହିଥିଲେ। ତା’ ପର ଦିନ ଅର୍ଥାତ ୨୭ ତାରିଖ ସକାଳ ୭.୨୧ରୁ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ସ୍କୁଟି ମଝିରେ ଝରାଫୁଲଙ୍କୁ ନେଇ ଯାଉଥିବାର ସିସିଟିଭିରେ ଦେଖିବାକୁ ମିଳିଥିଲା। ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ଏପରି ଏକ ନୂଆ ତଥ୍ୟ ନଜରକୁ ଆସିଛି।
ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ପୂର୍ବରୁ ଗିରଫ ହୋଇସାରିଥିବା ବେଳେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୁଲିସ୍ । ହେଲେ ରାକେଶଙ୍କ ସହଯୋଗୀ ଏ ଯାଏ ପୁଲିସ୍ ଜାଲରେ ପଡ଼ି ନ ଥିବାରୁ ପୂରା ଘଟଣା ଉପରକୁ ପରଦା ହଟି ପାରୁନି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ବୃନ୍ଦେଇପୋଷି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷର ଛାତ୍ରୀ। କରୋନା ପାଇଁ ହଷ୍ଟେଲ୍ ବନ୍ଦ ଥିବାରୁ ସେ ଘରକୁ ପଳାଇ ଯାଇଥିଲେ।
ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଆସିଥିଲେ। ସେ ନିଜ ସ୍ଥାନୀୟ ଅଭିଭାବକଙ୍କ ଝିଅ ଜନ୍ମ ଦିନରେ ସାମିଲ ହେବାକୁ ଭୁବନେଶ୍ୱର ଆସିଥିଲେ। ଏହାପରେ ୨୫ ତାରିଖରେ ଜନ୍ମ ଦିନ ପାଳନ ପରେ ୨୬ ତାରିଖ ସକାଳେ ଝରାଫୁଲ ଘରକୁ ଯାଉଛନ୍ତି ବୋଲି ଫୋନ୍ରେ ବାପାଙ୍କୁ କହିଥିଲେ। ମାତ୍ର ସେ ଯାଇନଥିଲେ। ପରେ ରମାକାନ୍ତ ଝିଅକୁ ଫୋନ୍ କରିବାରୁ ଦେହ ଭଲ ନାହିଁ, ସାଙ୍ଗ ଘରେ ରହିଛି ବୋଲି କହିଥିଲେ । ତା’ପରଠାରୁ ତାଙ୍କ ମୋବାଇଲ୍ ବନ୍ଦ ଥିବା ବେଳେ ପତ୍ତା ପାଉ ନ ଥିଲେ ପରିବାର ଲୋକ।
ଏହା ପର ଦିନ ତାଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଛି। ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଲେନ୍-୬ରେ ଥିବା ଶିବସାଇ ଗେଷ୍ଟ ହାଉସରେ ଝରାଫୁଲ ଓ ରାକେଶ ରହିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଗେଷ୍ଟ ହାଉସରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ।
ଝିଅର ମୃତ୍ୟୁ ପାଇଁ ତା’ର ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ଝରାଫୁଲଙ୍କ ବାପା ଦାୟୀ କରିବା ପରେ ଗତ ୨୮ ତାରିଖରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲେ ରାକେଶ। ଏହାପରେ ଭୁବନେଶ୍ୱର ପୁଲିସ୍ ତାକୁ ଯାଜପୁର ପୁଲିସ୍କୁ ହସ୍ତାନ୍ତର କରିଥିଲା।
The post ବିରିୟାନି ଖାଇବାକୁ ଯାଇଥିଲେ, ବାନ୍ତି କଲେ appeared first on Odisha Reporter.
from Odisha Reporter https://ift.tt/39uN9Rf
No comments:
Post a Comment