ନୂଆଦିଲ୍ଲୀ: କରୋନା ପରେ ସାରା ଦେଶକୁ ଘାରିଛି ବାର୍ଡ ଫ୍ଲୁ ଭୟ। ପୂର୍ବରୁ ୮ ରାଜ୍ୟରେ ବ୍ୟାପିଥିବା ବାର୍ଡ ଫ୍ଲୁ ଏବେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀର ପଶୁପାଳନ ବିଭାଗ ସୋମବାର ଏ ନେଇ ସୂଚନା ଦେଇଛି। ମୃତ ବତକ ଏବଂ କୁଆର ନମୁନାକୁ ଧରି ମଧ୍ୟପ୍ରଦେଶର ଭୋପାଲରେ ଥିବା ପରୀକ୍ଷାଗାରକୁ ପଠାଯାଇଥିଲା। ଏବେ ଏହାର ରିପୋର୍ଟ ଆସିବା ପରେ ଦିଲ୍ଲୀରେ ବାର୍ଡ ଫ୍ଲୁ ମାତିଥିବା ସ୍ପଷ୍ଟ ହୋଇଛି। ଦିଲ୍ଲୀ ପୂର୍ବରୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା, ଗୁଜରାଟ ଏବଂ ଉତ୍ତର ପ୍ରଦେଶ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛି।
ଦିଲ୍ଲୀର ମୟୂର ବିହାର ସମେତ କେତେକ ଅଞ୍ଚଳରେ କୁଆ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ସରକାର ଗାଜିପୁରରେ ଥିବା କୁକୁଡ଼ା ମଣ୍ଡିକୁ ୧୦ ଦିନ ପାଇଁ ବନ୍ଦ କରି ଦେଇଥିଲେ। ସେହିପରି ଦିଲ୍ଲୀର ସଞ୍ଜୟ ହ୍ରଦରେ ୧୭ ଟି ବତକର ମୃତ ଦେହ ମିଳିଥିଲା। ଏହା ପରେ ସେହି ଅଞ୍ଚଳକୁ ହାଇ ଆଲର୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଶନିବାର ପାଖରୁ ଏହି ହ୍ରଦ ଏବଂ ପାର୍କକୁ ବନ୍ଦ କରିଦେଇଛି। ସୂଚନାଯୋଗ୍ୟ, ସାରା ଦେଶରେ ପ୍ରାୟ ୧୨୦୦ ପକ୍ଷୀଙ୍କର ମୃତ ଶରୀର ମିଳିଛି। ମହାରାଷ୍ଟ୍ରରେ ସର୍ବାଧିକ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାର ପ୍ରଭାବରେ ଚିକେନ ଦାମ ମଧ୍ୟ ଅହେତୁକ ଭାବରେ ହ୍ରାସ ପାଇଛି।
The post ରାଜଧାନୀ ପହଞ୍ଚିଲା ବାର୍ଡ ଫ୍ଲୁ appeared first on Odisha Reporter.
from Odisha Reporter https://ift.tt/3hZHRA5
No comments:
Post a Comment