କାଲିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

କାଲିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ।  ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।  ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବାକୁ ବାଧ୍ୟତାମୂଳକ । ସ୍କୁଲ ଖୋଲିବାର ୨ ଦିନ ପରେ ଅର୍ଥାତ ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟକୁ ସାନିଟାଇଜ କରାଯାଉଛି । ସେପଟେ ସ୍କୁଲ କଲେଜ ଖୋଲିବା ପ୍ରସଙ୍ଗରେ ରାଜଧାନୀର  ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମ୍‌ସି ପକ୍ଷରୁ ଆଲୋଚନା କରାଯାଇଛି।  ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି  ।

ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ । ଏହାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ନିହାତି ଭାବେ ମାନିବେ  । ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ SOP ପ୍ରସ୍ତୁତ କରିଛନ୍ତି, ତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ତା ସହିତ ବିଏମ୍‌ସି ଏକ ହେଲ୍ପ ନମ୍ବର ଜାରି କରିଛି । କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ଏହି ନମ୍ବରରେ ସ୍କୁଲ କଲେଜ କର୍ତ୍ତୃପକ୍ଷ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ।

ସୂଚନାଯୋଗ୍ୟ୍ୟ,  ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବାର୍ଷିକ ପରୀକ୍ଷା  ତଥା ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,  କରୋନା ମହାମାରୀ ଭିତରେ ଆସନ୍ତା ୧୦ ତାରିଖରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ ।

ପରୀକ୍ଷା ଦେବାକୁ ଥିବା ରେଗୁଲାର, କ୍ୱାସି ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ । ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ଏହା ୨୮ ତାରିଖ ଯାଏ ଚାଲିବ । ତେବେ ଫର୍ମ ଫିଲଅପ୍ ପାଇଁ ଜାନୁଆରି ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି।

ଏହାପରେ ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ‍୍‌ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ‍୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶନିବାର/ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠ ପଢ଼ାଯିବ।

ପାଠପଢ଼ା ନିମନ୍ତେ  ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ‍୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦ୍ଦେର୍ଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ।

ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ‍୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ‍୍‌ଲାଇନ‍୍‌ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

The post କାଲିଠୁ ଖୋଲିବ ସ୍କୁଲ, ଅଭିଭାବକଙ୍କ ଲିଖିତ ଅନୁମତି ବାଧ୍ୟତାମୂଳକ appeared first on Odisha Reporter.



from Odisha Reporter https://ift.tt/38lhf9y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages