ନୂଆଦିଲ୍ଲୀ: ଗତକାଲି ରାଜଧାନୀ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତବାସା ଆଗରେ ହୋଇଥିବା ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ସଂସ୍ଥାକୁ ମିଳିଛି ବଡ ପ୍ରମାଣ। ସର୍ଚ୍ଚ ବେଳେ ବିସ୍ଫୋରଣା ସ୍ଥଳରୁ ଏକ ଲଫାପା ଜବତ ହୋଇଛି। ଏହି ଲଫାପାରୁ ଉକ୍ତ ବିସ୍ଫୋରଣ ପଛରେ ଇରାନ କନେକସନ ଥିବା ସାମ୍ନାକୁ ଆସିଛି। ଏହି ଲଫାପାରେ ବିସ୍ଫୋରଣ ଟ୍ରେଲର ବିଷୟରେ ଉଲ୍ଲେଖ ରହିଛି। ପ୍ରତିଶୋଧ ନେବା କଥା ମଧ୍ୟ କୁହାଯାଇଛି।
କେବଳ ସେତିକି ନୁହେଁ ୨୦୨୦ରେ ମୃତ୍ୟୁ ହୋଇଥିବା କାସିମ ସୁଲେମାନି ଓ ଇରାନର ବରିଷ୍ଠ ନ୍ୟୁକ୍ଲିଅର ବୈଜ୍ଞାନିକ ମୋହସିନ ଫଖରିହଜାଦେଙ୍କ ବିଷୟରେ ମଧ୍ୟ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ଲଫାପା ମିଳିବା ପରେ ବିସ୍ଫୋରଣ ପଛରେ ଇରାନ କନେକସନ୍ ଥିବା ଆଶଙ୍କା କରାଯାଉଛି। ମିଳିଥିବା ଲଫାପାର ଟଚ୍ ଡିଏନ୍ଏ ଟେଷ୍ଟ ହେବ। ଏହାପରେ ସତ ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି।
ସେପଟେ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଏହି ଘଟଣାକୁ ଆତଙ୍କବାଦୀ ଘଟଣା ବୋଲି କହିଛି। ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି କି ଦୂତାବାସ ବିଲଡିଂର କୌଣସି କ୍ଷତି ହୋଇନାହିଁ, ଭାରତୀୟ ଅଧିକାରୀମାନେ ଘଟଣାର ଯାଞ୍ଚ କରୁଛନ୍ତି । ଅନ୍ୟପଟ ବିସ୍ଫୋରଣକୁ ନେଇ ଭାରତ ଓ ଇସ୍ରାଏଲ୍ ଲଗାତର ଯୋଗାଯୋଗରେ ରହିଛନ୍ତି । ଏସବୁ ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେନ୍ଜାମିନ ନେତନ୍ୟାହୁଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ନେତନ୍ୟାହୁ କହିଛନ୍ତି ଯେ, ଆମକୁ “ପୂର୍ଣ୍ଣ ବିଶ୍ୱାସ” ରହିଛି , ଦୂତାବାସରେ ଥିବା ସମସ୍ତ ଅଧିକାରୀଙ୍କୁ ଭାରତ କଡା ସୁରକ୍ଷା ଦେବ । ଇସ୍ରାଏଲ୍ବାସିନ୍ଦା ଓ ୟେହୁଦୀମାନଙ୍କୁ ଭାରତ ସୁରକ୍ଷା ଦେବ ବୋଲି ଆମର ଭରସା ରହିଛି ।
ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଥିଲା । ବୁଦା ମୂଳରେ ଗୋଟିଏ IED ରଖା ଯାଇଥିବା ସୂଚନା ମିଳିଥିଲା । ତେବେ ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି, କିଛି ଗାଡି ନଷ୍ଟ ହୋଇଯାଇଛି । କିନ୍ତୁ ଘଟଣାସ୍ଥଳରୁ ଆଉ କୌଣସି ବୋମା ମିଳିନାହିଁ ।
ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନର ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସାରା ଦେଶର ସବୁ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ଅଯୋଧ୍ୟା ସହ ଉତ୍ତରପ୍ରଦେଶର ସବୁ ଜିଲ୍ଲାରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ବିସ୍ଫୋରଣ ସ୍ଥଳକୁ କର୍ଡନ କରି ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଅତିରିକ୍ତ ସି.ଆର.ପି.ଏଫ ଫୋର୍ସ ମଧ୍ୟ ଘଟଣା ସ୍ଥଳକୁ ଯାଇ ଛାନଭିନ୍ କରୁଛି।
ଏହା ପୂର୍ବରୁ ମଧ୍ୟ ୨୦୧୨ରେ ଇସ୍ରାଇଲର ଏକ କାର୍ରେ ବିସ୍ଫୋରଣ ହୋଇଥିଲା। ଏହା ପଛରେ ଦୁଇ ଜଣ ଇରାନୀ ନାଗରିକ ସାମିଲ ଥିବା ଜଣାପଡିଥିଲା।
The post ଦିଲ୍ଲୀ ବିସ୍ଫୋରଣ ପଛରେ ଇରାନ କନେକ୍ସନ୍! appeared first on Odisha Reporter.
from Odisha Reporter https://ift.tt/2L0T7Qv
No comments:
Post a Comment