ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝରାଫୁଲ ମୃତ୍ୟୁର ରହସ୍ୟ ଧୀରେ ଧୀରେ ଫିଟିବାରେ ଲାଗିଛି। ମୃତ୍ୟୁର ପୂର୍ବ ରାତିରେ ନିଜ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ସହ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ଗେଷ୍ଟ ହାଉସରେ ଥିଲେ ଝରାଫୁଲ। ଏହା ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଉକ୍ତ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ। ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ଏକ ସିସିଟିଭିରେ ଏହି ଚିତ୍ର କଏଦ ହୋଇଛି। ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଥିବା ବେଳେ ଏବେ ଏପରି ଏକ ନୂଆ ତଥ୍ୟ ନଜରକୁ ଆସିଛି।
ଗତ ବୁଧବାର ସକାଳେ ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ନିକଟ ରାସ୍ତା ପାର୍ଶ୍ୱରୁ ମିଳିଥିଲା। ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଧର୍ମବିହାର ଲେନ୍-୬ରେ ଥିବା ଶିବସାଇ ଗେଷ୍ଟ ହାଉସରେ ଝରାଫୁଲ ଓ ରାକେଶ ରହିଥିଲେ। ଉକ୍ତ ଗେଷ୍ଟ ହାଉସକୁ OYO ନେଇଥିବା ବେଳେ ଏହାର ମାଲିକ ଜଣେ ଏନଆରଆଇ ବୋଲି ଜଣାପଡ଼ିଛି।
ଗେଷ୍ଟ ହାଉସ୍ରୁ ଗତ ୨୭ ତାରିଖ ସକାଳ ସମୟ ୭ଟା ୨୧ ମିନିଟରେ ସ୍କୁଟରରେ ୩ ଜଣ ଯାଉଥିବା ନିକଟରେ ଥିବା ଏକ ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ତେବେ ଗେଷ୍ଟ ହାଉସରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ। ଯାଜପୁର ପୁଲିସ୍ ସିସିଟିଭି ଜବତ କରିଛି।
ଝିଅର ମୃତ୍ୟୁ ପାଇଁ ତା’ର ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ଝରାଫୁଲଙ୍କ ବାପା ଦାୟୀ କରିଥିବା ବେଳେ ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା ରାକେଶ। ଏହାପରେ ଭୁବନେଶ୍ୱର ପୁଲିସ୍ ତାକୁ ଯାଜପୁର ପୁଲିସ୍କୁ ହସ୍ତାନ୍ତର କରିଛି। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟର ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୁଲିସ୍ ସୂଚନା ଦେଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ପତ୍ତା ମିଳିପାରି ନାହିଁ।
ଝରାଫୁଲକୁ ସେ ଭଲ ପାଉଥିବାରୁ ତାଙ୍କୁ ସେ ହତ୍ୟା କରି ନ ଥିବା ରାକେଶ ନିଜ ସଫେଇରେ କହୁଥିବା ବେଳେ ଫୁଡ ପଏଜନିଂ ଯୋଗୁ ମୃତ୍ୟୁ ହୋଇଥିବା କହୁଛି। ହେଲେ ଫୁଡ ପଏଜନିଂ ହୋଇଥିଲେ ତାଙ୍କୁ ହସ୍ପିଟାଲକୁ ନ ନେଇ କୁଆଡ଼େ ନେଉଥିଲେ, ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ କ’ଣ ପାଇଁ ଜଣାଇଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ଅପରପକ୍ଷେ ଝରାଫୁଲଙ୍କ ମୃତ୍ୟୁ କିପରି ହେଲା, ରାକେଶ ନିଜ ବନ୍ଧୁଙ୍କ ସହ ମୃତଦେହକୁ ୨ଟି ଜିଲ୍ଲା ଅତିକ୍ରମ କରି ଯାଜପୁରରେ କ’ଣ ପାଇଁ ଫୋପାଡିଲେ ତାହା ଜଣାପଡ଼ିନି।
ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ରାକେଶଙ୍କ ମୋବାଇଲ ଯାଞ୍ଚରୁ ସେ କାହା କାହା ସହ କଥା ହୋଇଛନ୍ତି ତାହା ଜଣାପଡ଼ିବ ବୋଲି ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଝରାଫୁଲଙ୍କ ମୃତଦେହ ମିଳିଥିବା ଘଟଣାସ୍ଥଳରେ ପହଞ୍ଚି ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା। ଏହି ଘଟଣାକୁ ଅତି ଅମାନବୀୟ ଓ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ପୂରା ଘଟଣା ବାବଦରେ ଯାଜପୁର ଏସ୍ପିଙ୍କ ସହ ପୂର୍ବରୁ ଆଲୋଚନା କରିଛନ୍ତି। ଆଜି ପୁଣିଥରେ ଏସ୍ପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଏସ୍ପି।
The post ମୃତ୍ୟୁ ପୂର୍ବ ରାତିରେ ରାକେଶଙ୍କ ସହ ଗେଷ୍ଟ ହାଉସରେ ଥିଲେ ଝରାଫୁଲ! appeared first on Odisha Reporter.
from Odisha Reporter https://ift.tt/39uM4t0
No comments:
Post a Comment