ସୁନ୍ଦରଗଡ଼/ପୁରୀ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଲେ ମେଡିକାଲ୍ ଅଫିସର। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗୋଷ୍ଠୀ ଚିକିତ୍ସାଳୟର ମେଡିକାଲ୍ ଅଫିସର ଡାକ୍ତର ଶ୍ରଦ୍ଧାକର ଗଡ଼ତିଆ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ଦୁଇ ଦିନର ଛୁଟିକୁ ନିୟମିତ କରାଇବା ପାଇଁ ସେ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ୨୦୧୬ରେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ହେମଗିରି ଗୋଷ୍ଠୀ କେନ୍ଦ୍ରରେ ଅବସ୍ଥାପିତ ଥିବା ବେଳେ ଦୁଇ ଦିନର ଛୁଟି ଅନିୟମିତ ହୋଇ ରହିଯାଇଥିଲା। ସୁରଡ଼ାକୁ ତାଙ୍କର ବଦଳି ହେଲା ପରେ ଦୁଇ ଦିନ ଛୁଟିକୁ ନିୟମିତ କରାଇବା ପାଇଁ ସେ ଡାକ୍ତର ଗଡ଼ତିଆଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ତେବେ ଡାକ୍ତର ଏଥିଲାଗି ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁରୀ ଜିଲ୍ଲାର ଜଣେ ପୂର୍ବତନ ଆରଆଇ। ତାଙ୍କ ନାଁ ବସନ୍ତ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ବସନ୍ତ ମହାନ୍ତିଙ୍କ ବାସଭବନ ଓ ୨ଟି ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଯେଉଁସବୁ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି, ସେଗୁଡ଼ିକ ହେଉଛି- ବସନ୍ତଙ୍କର ପୁରୀ ଫ୍ରେଣ୍ଡସ କ୍ଲବ୍ ନିକଟସ୍ଥ ୨ଟି ଘର, ପେଣ୍ଠକଟାସ୍ଥିତ ଗୋଟିଏ ଘର, ବାଲିଘାଟସ୍ଥିତ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର କୁରୁଣ୍ଟି ଗ୍ରାମସ୍ଥିତ ତାଙ୍କ ପୈତୃକ ବାସଭବନ ଓ ପୁରୀର ଦୁଇଟି ସରକାରୀ କାର୍ଯ୍ୟାଳୟ।
ବହୁ ବେଆଇନ ଜମି କିଣାବିକାରେ ବସନ୍ତ ମହାନ୍ତି ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି। ସେହିପରି ବେଆଇନ ଭାବେ ଜମିର କିସମ ପରିବର୍ତ୍ତନ ଓ ଜମି ଅଦଳବଦଳ ଭଳି ଅନେକ ସଂଗୀନ ଅଭିଯୋଗ ତାଙ୍କ ନାଁରେ ରହିଛି। ବିଶେଷକରି ପୁରୀର ଲୋକନାଥ ମନ୍ଦିର ଅଞ୍ଚଳ ସହ ପାର୍ବତୀପୁର ଓ ଶଙ୍କରପୁର ମୌଜାରେ ବହୁ ସରକାରୀ ଓ ଦେବୋତ୍ତର ଜମି କେଳେଙ୍କାରୀରେ ସେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ବହୁ ଜମି ମାଫିଆଙ୍କ ସହ ତାଙ୍କର ଲିଙ୍କ୍ ଥିବା ମଧ୍ୟ ଅଭିଯୋଗ ରହିଛି। ଭିଜିଲାନ୍ସ ଏସବୁର ବି ଖୋଳତାଡ଼ କରିପାରେ।
The post ଫସିଗଲେ ମେଡିକାଲ୍ ଅଫିସର, ବସନ୍ତଙ୍କ ଉପରେ ବି ପଡ଼ିଲା ନଜର appeared first on Odisha Reporter.
from Odisha Reporter https://ift.tt/2M7ZfXY
No comments:
Post a Comment