ଲକ୍ଷ୍ନୌ: ଦିଲ୍ଲୀ-ଉତ୍ତର ପ୍ରଦେଶର ସୀମା ଗାଜିପୁରରେ ଦୀର୍ଘ ୨ ମାସ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏଠାରେ ଭାରତୀୟ କିଷାନ ୟୁନିୟନ(ବିକେୟୁ)ର ମୁଖପାତ୍ର ରାକେଶ ଟିକାୟତଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଏଠାକୁ ଆହୁରି ଚାଷୀ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସିବାକୁ ଥିବାରୁ ପୁଲିସ୍ ଆଲର୍ଟ ହୋଇଯାଇଛି।
ବିଜନୋର ପୁଲିସ୍ ଏଠାକାର ଚାଷୀମାନଙ୍କୁ କେବେ ହେଲେ ଗାଜିପୁର ଛାଡ଼ିବ ନାହିଁ ବୋଲି ଘୋଷଣା କରିଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଚାଷୀଙ୍କୁ ଜଗିବାକୁ ପ୍ୟାଟ୍ରୋଲିଂ ମଧ୍ୟ ଆରମ୍ଭ କରାଯାଇଛି। ସେହିପରି ବିଜନୋର ସୀମାରେ ବ୍ୟାରିକେଡ୍ କରାଯାଇଛି।
ଏଠାରୁ ଦିଲ୍ଲୀ ଯାଉଥିବା ଗାଡ଼ିଗୁଡ଼ିକୁ ତନତନ କରି ଯାଞ୍ଚ କରାଯାଉଛି। ବିଜନୋର ପୁଲିସ୍ ମୁଖ୍ୟ ଡା ଧର୍ମବୀର ସିଂହ କହିଛନ୍ତି, ସୀମାନ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ସହ କରୋନା କଟକଣା ଲାଗୁ କରାଯାଇଛି। ଗାଜିପୁର-ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳକୁ ବେଆଇନ ଘୋଷଣା କରାଯାଇଛି।
ଯଦି କେହି ଦୁଇ ଚକିଆ, ୪ ଚକିଆ କିମ୍ବା ଟ୍ରାକ୍ଟର ଧରି ଗାଜିପୁର ସୀମା ଆଡ଼କୁ ଯିବାକୁ ଚେଷ୍ଟା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି ଓ ସମସ୍ତ ପ୍ରବେଶ-ପ୍ରସ୍ଥାନ ପଥକୁ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।
ପୁଲିସ୍ର ଏଭଳି ବ୍ୟବସ୍ଥା ସତ୍ତ୍ୱେ ଜିଲ୍ଲାର ଚାଷୀମାନେ ଗାଜିପୁର ସୀମାରେ ଚାଲିଥିବା ଆନ୍ଦୋଳନ ସପକ୍ଷରେ ନାରାବାଜୀ କରିଛନ୍ତି। ଯେକୌଣସି ପରିସ୍ଥିତିରେ ବି ସେମାନେ ଗାଜିପୁର ଯିବେ ବୋଲି କହିଛନ୍ତି। ବିଜୟ ନାମକ ଜଣେ ଚାଷୀ କହିଛନ୍ତି, ମୋର ବିଶ୍ୱାସ ଯେ ସ୍ଥାନୀୟ ପ୍ରଶାସନ ଆମକୁ ସମର୍ଥନ କରିବ। ଆମେ ଆମର ଅଧିକାର ପାଇଁ ଲଢ଼େଇ କରୁଛୁ ବୋଲି ସେ କହିଛନ୍ତି।
The post ଚାଷୀଙ୍କୁ ଗାଜିପୁର ସୀମା ମନା, ପୁଲିସ୍ ଆରମ୍ଭ କଲା ପ୍ୟାଟ୍ରୋଲିଂ appeared first on Odisha Reporter.
from Odisha Reporter https://ift.tt/3r1IGLR
No comments:
Post a Comment