ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ମହା ଅଭିଯାନ । ଏହି ମହାମାରୀ ବିରୋଧରେ ଶେଷ ଲଢେଇ ସଦୃଶ ଆଜିଠୁ ଦେଶ ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ। ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ରାଜ୍ୟରେ ଟିକାକରଣ ଆରମ୍ଭ ସମ୍ପର୍କୀତ ସୂଚନା ଦେବାକୁ ଯାଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆମେ ଉପନୀତ ହୋଇଛୁ। ଆଜି କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାୟକ ଟିକା ନେଇଛନ୍ତି। ୨ୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଟିକା ନେଇଛନ୍ତି। । ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବ। କାଲି ଟିକା ଦିଆଯିବନି। ନୀରିକ୍ଷଣ କରାଯିବ। ଆସନ୍ତା ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ନିମନ୍ତେ ଟାର୍ଗେଟ ରଖାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ଦୀର୍ଘ ଦିନ ଧରି କଲବଲ କରୁଥିବା କରୋନାକୁ ସମୂଳେ ନିପାତ କରିବା ଲାଗି ଆରମ୍ଭ ହୋଇଛି ଶେଷ ଯୁଦ୍ଧ । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ବଣ୍ଟନ କରାଯାଇଛି। ଏଥିନିମନ୍ତେ ଟିକା ଦାନ କେନ୍ଦ୍ର ସମେତ ସ୍ୱାସ୍ଥ୍ୟ କର୍ମୀ ବି ପ୍ରସ୍ତୁତ ଅଛନ୍ତି।
ପ୍ରଥମ ଦଫାରେ ରାଜ୍ୟର ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ଏଥିନିମନ୍ତେ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ସମସ୍ତ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ପହଞ୍ଚିସାରିଛି କରୋନା ଟିକା । ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କାହାକୁ କେଉଁଦିନ, କେତେବେଳେ ଏବଂ କେଉଁ କେନ୍ଦ୍ରରେ ଟିକା ଦିଆଯିବ ସେନେଇ ମୋବାଇଲ୍କୁ ମେସେଜ୍ ବି ଆସି ସାରିଛି ।
ଭୁବନେଶ୍ୱରର ମୋଟ୍ ୬ଟି ହସ୍ପିଟାଲ୍ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ । ପୂର୍ବରୁ ଏଥିନିମନ୍ତେ କ୍ୟାପିଟାଲ ହସ୍ପିଟାଲ, ବିଏମ୍ସି ହସ୍ପିଟାଲ, ୟୁନିଟ-୪ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର , ସମ୍ ହସ୍ପିଟାଲ ଓ କିମସ୍ରେ ଟିକାକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପରେ ଏଥିରେ ଭୁବନେଶ୍ୱର ଏମ୍ସକୁ ବି ସାମିଲ କରାଯାଇଛି। ଟିକାକରଣ ସମୟରେ ଗଞ୍ଜାମ, ସୁନ୍ଦରଗଡ଼ ଓ କ୍ୟାପିଟାଲ୍ ହସ୍ପିଟାଲରୁ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ପଠାଯାଇଛି । ଏହି ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି । ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ । କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ । ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ୍, ଭ୍ୟାକ୍ସିନ୍ ରୁମ୍ ଓ ଅବ୍ଜରଭେସନ୍ ରୁମ୍ର ବ୍ୟବସ୍ଥା ହୋଇଛି ।
ପ୍ରତିଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ କାର୍ଯ୍ୟକ୍ରମ ହେବ। ଟିକାକରଣ ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଟି କରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭିକ୍ସିନର ଡୋଜ ପହଞ୍ଚାଯାଇଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ ଏହି ୨ ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯାଇଛି।
The post ମହାମାରୀ ବିରୋଧରେ ମହାଭିଯାନ; କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କୁ ମିଳିଲା ପ୍ରଥମ ଟିକା appeared first on Odisha Reporter.
from Odisha Reporter https://ift.tt/3sxN9aE
No comments:
Post a Comment