ଶିଳାନ୍ୟାସ କଲେ ନବୀନ, ଅସନ୍ତୋଷ ଝାଡ଼ିଲେ ଭର୍ତ୍ତୃହରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଶିଳାନ୍ୟାସ କଲେ ନବୀନ, ଅସନ୍ତୋଷ ଝାଡ଼ିଲେ ଭର୍ତ୍ତୃହରି

କଟକ(ଓଡ଼ିଶା ରିପୋର୍ଟର): କଟକ ଖାନନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଯାହାର ନାଁ ରଖାଯାଇଛି ‘ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ’। ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଏହି ବସ୍‌ ଟର୍ମିନାଲ୍‌ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଗତ ସପ୍ତାହରେ ଏହାର ଶିଳାନ୍ୟାସ ଅବସରରେ ଏପରି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଆଗକୁ ପୌର ନିର୍ବାଚନ ଥିବାରୁ ଏହା ଏକ ଭେଳିକି ବୋଲି କିଛି ଦିନ ପୂର୍ବେ କଟକର ବିଜେପି ନେତା ପ୍ରକାଶ ବେହେରା କହିଥିବା ବେଳେ ଏବେ ଅସନ୍ତୋଷ ଝାଡ଼ିଛନ୍ତି ଖୋଦ ବିଜେଡିର ତୁଙ୍ଗ ନେତା ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ।

ଖାନନଗରରେ ବସ୍ ଟର୍ମିନାଲ୍ ନିର୍ମାଣ ଭୌଗୋଳିକ ଦୃଷ୍ଟିରୁ ଅନୁପଯୁକ୍ତ ବୋଲି ସିଧାସଳଖ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଜେଡି ଦଳର ଏହି ଆଗ ଧାଡ଼ିର ନେତା। ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ସହଜ ନୁହେଁ ବୋଲି ମଧ୍ୟ ସେ ସୂଚାଇ ଦେଇଛନ୍ତି।

ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପରେଡ ଉତ୍ସବରେ ଯୋଗ ଦେବା ପରେ ଭର୍ତ୍ତୃହରି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ବେଳେ ତାଙ୍କ ଅସନ୍ତୋଷ ପଦାକୁ ଚାଲି ଆସିଥିଲା। ଏନେଇ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଭର୍ତ୍ତୃହରି କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେଲେ। ହେଲେ  ଜନ ପ୍ରତିନିଧିଙ୍କ ସହ  ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ।

ଏପରି ନିଷ୍ପତ୍ତି ନିଆଯିବା ପୂର୍ବରୁ ଅଧିକ ଆଲୋଚନା ଆବଶ୍ୟକତା ଥିବା କହିଲେ ଭର୍ତ୍ତୃହରି। ଏଥିନିମନ୍ତେ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ନ ଥିବା ବେଳେ ଗୁଗଲ୍ ମ୍ୟାପ୍ ଜରିଆରେ ତଥ୍ୟ ନିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ଗୁଗୁଲରେ ସରକାରୀ ଜାଗା ଚିହ୍ନଟ କରାଯାଇଥିବା ବେଳେ ବାସ୍ତବରେ ସେଠାରେ ଏକ ସେଣ୍ଟ୍ରାଲ ଲାଇବ୍ରେରି, ସରକାରୀ ସ୍କୁଲ,  ସାଇମନ୍ଦିର, ଶ୍ମଶାନ, କାଳିମନ୍ଦିର ଅଛି। ତେଣୁ ଏ ସମ୍ପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧି ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ ଏମ୍‌ପି।

ଏହାବ୍ୟତୀତ ସାଂସଦ କହିଛନ୍ତି, ବାଦାମବାଡ଼ିକୁ ପ୍ରତିଦିନ ୧୨୦୦ ବସ୍‌ ଆସୁଥିବା ବେଳେ ଖାନନଗରରେ ଟର୍ମିନାଲ ହେଲେ ବସ୍‌ଗୁଡ଼ିକ କେଉଁ ବାଟ ଦେଇ ଆସିବ ଓ କେଉଁ ବାଟ ଦେଇ ବାହାରିବ ତାହା ମୋତେ ଜଣାନାହିଁ। ଏ ସମ୍ପର୍କରେ ମୋ ପାଖରେ କିଛି ତଥ୍ୟ ନାହିଁ।  ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିଲେ ଭଲ ହୋଇଥାନ୍ତା ବୋଲି ।

ଏହାବ୍ୟତୀତ ସେ କହିଛନ୍ତି, କାଠଯୋଡ଼ି ପାଖରେ ୨ ଟି ରେଳ ଟ୍ରାକ୍‌ ଅଛି।  ଏହା ତଳେ ବସ୍‌ ଯିବା ସମ୍ଭବ ନୁହେଁ। ଏହାବ୍ୟତୀତ କାଠଯୋଡ଼ି ପାର୍ଶ୍ୱରେ ରେଳବାଇ ଜାଗା ଥିବାରୁ ତାହା ଭବିଷ୍ୟତରେ ସମ୍ପ୍ରସାରଣ ହେବାର ଯୋଜନା ଅଛି। ତେଣୁ ବସ୍‌ କେଉଁ ବାଟ ଦେଇ ଚଳାଚଳ କରିବ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଜନଗହଳି ବୃଦ୍ଧି ପାଉଥିବାରୁ ଖାନନଗରରେ ଏହି ବସ୍ ଟର୍ମିନାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି।ଖାନନଗରରେ ୧୨ ଏକର ଜାଗାରେ ଏହି ବସ୍ ଟର୍ମିନାଲ ନିର୍ମାଣ ହେବ। ଏଥିପାଇଁ ୬୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଟର୍ମିନାଲରେ ନେତାଜୀଙ୍କ ସଂପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କିଓସ୍କ ବ୍ୟବସ୍ଥା ରହିବ। ସେହିପରି ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୀବନୀ ସଂପର୍କିତ ଫଟୋ ଚିତ୍ର ସ୍ଥାନ ପାଇବ।  ୧ ଲକ୍ଷ ୧୮ ହଜାର ବର୍ଗଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ ହେବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂ କରିପାରିବେ।

ଏହି ବସ୍‌ ଟର୍ମିନାଲ୍‌ର ଶିଳାନ୍ୟାସ ଏକ ଭେଳିକି ବୋଲି କହିଛନ୍ତି ବିଜେପି ନେତା ପ୍ରକାଶ ବେହେରା। ସେ କହିଲେ, ୧୦ ବର୍ଷ ହେଲା କଟକବାସୀଙ୍କୁ ଭୂଆଁ ବୁଲାଉଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୩ରେ ଗୋପାଳପୁରରେ ଟର୍ମିନାଲ ନିର୍ମାଣ ପାଇଁ କହିଥିଲେ। ଏବେ ଖାନ୍‌ନଗରରେ କାହିଁକି? ଗୋପାଳପୁରରେ ୪୩ରୁ ୧୩ ଏକର ଜାଗା ମିଳୁ ନଥିବାରୁ ନିଷ୍ପତ୍ତି ବଦଳାଇଛନ୍ତି। କିନ୍ତୁ ୧୩ ଏକର ଜାଗାରେ ଜବରଦଖଲକାରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ପୌର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଭେଳିକି କରୁଥିବା ସେ କହିଛନ୍ତି।

ପ୍ରକାଶ କହିଛନ୍ତି, ଏଠି ମାତ୍ର ୧୦-୧୧ ଏକର ଜମିରେ କେମିତି ବସ୍ ଟର୍ମିନାଲ ହେଉଛି। ଏହା ଆଦୌ ଆବଶ୍ୟକତା ପୂରଣ କରିପାରିବ ନାହିଁ। ଏହି ବସ୍ ଟର୍ମିନାଲ୍ କେବଳ ଏକ ଭେଳିକି। କେବଳ ପୌର ନିର୍ବାଚନ ପାଇଁ ଏହି ଭେଳିକି କରାଯାଇଥିବା ସେ କହିଥିଲେ।

The post ଶିଳାନ୍ୟାସ କଲେ ନବୀନ, ଅସନ୍ତୋଷ ଝାଡ଼ିଲେ ଭର୍ତ୍ତୃହରି appeared first on Odisha Reporter.



from Odisha Reporter https://ift.tt/2Mp0C46

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages