ଓଡ଼ିଶାର ଗର୍ବ ସୁଭାଷ ଥିଲେ ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 21, 2021

ଓଡ଼ିଶାର ଗର୍ବ ସୁଭାଷ ଥିଲେ ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ

ବ୍ରିଟିଶରମାନେ ତାଙ୍କ ବିରୋଧରେ ୧,୦୦୦ ସୈନିକଙ୍କ ମୃତ୍ୟୁର ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗ ସୁବାଷଙ୍କ ପାଇଁ କୌଣସି ମେଡାଲଠାରୁ କମ୍ ନଥିଲା।

ବୀରତ୍ୱ, ବଳିଦାନ, ଅଦମ୍ୟ ସାହସ ଓ ଅସୀମ ଦେଶପ୍ରେମର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ସାହସ ଓ ଅଟଳ ବିଶ୍ୱାସର ପ୍ରତୀକ ଥିଲେ ସେ। ତାଙ୍କର ପ୍ରତିଟି କାର୍ଯ୍ୟଶୈଳୀ ଥିଲା ଦୁଃସାହସିକ। ବିଜ୍ଞ ରାଜନୀତିଜ୍ଞ, ଓଜସ୍ୱୀ ବକ୍ତା ଓ ବିଶେଷ କରି ଅନେକଙ୍କୁ ପ୍ରଭାବିତ କରି ପାରୁଥିବା ଜଣେ ନିଷ୍ଠାପର ନେତା ଥିଲେ ନେତାଜୀ। ହେଲେ ଆଜି ବି ନେତାଜୀଙ୍କର ଶେଷ ଜୀବନୀ ରହସ୍ୟ ହେଇ ରହିଯାଇଛି ଭାରତ ବାସୀଙ୍କ ପାଇଁ। ତାଙ୍କ ନିଖୋଜ ଓ ମୃତ୍ୟୁ ଖବର ଯେତିକି ବିତର୍କିତ ତାଙ୍କ ବିଷୟରେ ଅନେକ ରହସ୍ୟଜନକ ତଥ୍ୟ ସେମିତି ଅନାଲୋଚିତ।

ଯଦିଓ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହରୁ ବିଧିବଦ୍ଧ ପ୍ରଧାନମନ୍ତ୍ରୀ ହୋଇଥିଲେ କିନ୍ତୁ ଅବିଭକ୍ତ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ନେତାଜୀ। ଇତିହାସ ପୃଷ୍ଠାରୁ ହଜି ଯାଇଥିବା ନେତାଜୀଙ୍କ ବିଷୟରେ ସେଭଳି କିଛି ରୋଚକ ତଥ୍ୟ କ୍ୱଚିତ ଆଲୋଚନା ହୁଏ। ଆଜାଦ ହିନ୍ଦ ସରକାରରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ନେତାଜୀ ଯେଉଁ ଗୌରବର ଶ୍ରେୟ, ସମ୍ମାନ ପାଇବା ପାଇଁ ହକ୍‌ଦାର ଥିଲେ ସେଥିରୁ ସେ ବଞ୍ଚିତ ହୋଇ ଆସୁଥିଲେ। ହେଲେ ଗତ ବର୍ଷ ତା’ର ଯବନିକା ପକାଇଛନ୍ତି କେନ୍ଦ୍ର ସରକାର। ଲାଲ କିଲ୍ଲାରେ ଆଜାଦ୍‌ ହିନ୍ଦ୍ ଫୌଜ ସରକାର ଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାଦ ହିନ୍ଦ ସରକାରଙ୍କୁ ମାନ୍ୟତା ଦେଇଥିଲେ।

୨୧ ଅକ୍ଟୋବର ୧୯୪୩।  ଥିଲା ଏକ ଐତିହାସିକ ଦିନ। ଏହି ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅବିଭାଜିତ ଭାରତର ଆଜାଦ ହିନ୍ଦୀ ସରକାରରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଥମ କରି ସେ ବିଦେଶ ମନ୍ତ୍ରୀ, ରକ୍ଷାମନ୍ତ୍ରୀ ମଧ୍ୟ ଥିଲେ। ଏଭଳି ଏକ ସରକାର ଥିଲା ଯାହା ପାଖରେ ନିଜର ସେନା, ବ୍ୟାଙ୍କ ଓ ପ୍ରଶାସନିକ ବିଧି ବ୍ୟବସ୍ଥା ଥିଲା। ସରକାର ସ୍ଥାପନା ବେଳେ ନେତାଜୀ ବଜ୍ର ଶପଥ ନେଇଥିଲେ। ଈଶ୍ୱରଙ୍କ ନାମରେ ପବିତ୍ର ଶପଥ ନେଇ ଭାରତ ଓ ଏହାର ୩୮ କୋଟି ଲୋକଙ୍କୁ ସ୍ୱାଧୀନ କରିବାର ପଣ କରିଥିଲେ ସୁଭାଷ। ଏହି ସରକାରର ରାଜ ମଣିପୁର  ଏବଂ ଆଣ୍ଡାମନ ଦୀପପୁଂଜରେ ଥିଲା।

ଆଜାଦ୍‌ ହିନ୍ଦ୍‌ ଫୌଜର ସୁପ୍ରିମ୍‌ କମାଣ୍ଡୋ ଭାବରେ ସେନାକୁ ସମ୍ବୋଧିତ କରି ନେତାଜୀ ବଜେଇଥିଲେ ଦିଲ୍ଲୀ ଚଲୋ ବିଗୁଲ୍‌। ଭାରତର ଅସ୍ମିତାର ପ୍ରତୀକ ଭାବେ ବିବେଚିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ୩୦ ଡିସେମ୍ବର ୧୯୪୩ରେ ଆଣ୍ଡାମାନ ନିକୋବରରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡ଼ାଇଥିଲେ ସୁଭାଷ। ଏହି ତ୍ରିରଙ୍ଗା ଆଜାଦ ହିନ୍ଦ ଫୌଜର ଥିଲା। ଆଉ ଏହା ସ୍ୱାଧୀନତାର ପ୍ରଥମ ପରିଚୟ ଥିଲା। ଭାରତର ପ୍ରଥମ ଆଜାଦ୍‌ ସରକାରର ଘୋଷଣା ଓ ସ୍ଥାପନା ନେତାଜୀ ୧୯୪୩ ୨୧ ଅକ୍ଟୋବରରେ କରିଥିଲେ। ଏହି ଘୋଷଣା ପରେ ୨୩ ଅକ୍ଟୋବର ୧୯୪୩ରେ ଆଜାଦ ହିନ୍ଦ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା।  ଆଜାଦ୍‌ ହିନ୍ଦ ସରକାରର ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ବ୍ରିଟେନ ଓ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେହି ସମୟରେ ୯ ଦେଶର ସରକାର ସୁଭାଷ ଚନ୍ଦ୍ର ବୋଷଙ୍କ ସରକାରକୁ ମାନ୍ୟତା ଦେଇଥିଲେ।

୨୩ ଅକ୍ଟୋବର ୧୯୪୩ରେ ଜାପାନ ଆଜାଦ ହିନ୍ଦ ସରକାରକୁ ମାନ୍ୟତା ଦେଇଥିଲେ। ସେହିପରି ତାଙ୍କ ସରକାରଙ୍କୁ ଜର୍ମାନ୍‌, ଫିଲ୍‌ଫାଇନ୍ସ, କୋରିଆ, ଚାଇନା, ଇଟାଲି ଓ ଆୟର୍ଲାଣ୍ଡ, ଥାଇଲାଣ୍ଡ ଆଦି ଦେଶ ସ୍ୱୀକୃତି ଦେଇଥିଲେ। ଆଜାଦ ହିନ୍ଦ ସରକାର ଜାପାନ ସେନା ସହ ମିଳମିଶି ମ୍ୟାନମାର ଦେଇ ପୂର୍ବଭାରତ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ନେତାଜୀ ବର୍ମାର ରାଜଧାନୀ ରେଙ୍ଗୁନକୁ ନିଜର ହେଡ୍‌କ୍ୱାର୍ଟର କରିଥିଲେ। ୧୮ ମାର୍ଚ୍ଚ ୧୯୪୪ରେ ଆଜାଦ ହିନ୍ଦ ଫୌଜ ଭାରତ ମାଟିରେ ପାଦ ରଖିଥିଲା। ସେହି ଜାଗାକୁ ଆଜି ନାଗାଲାଣ୍ଡର ରାଜଧାନୀ କୋହିମା ନାମରେ ଜଣାଯାଉଛି। କିନ୍ତୁ ଦୁଇଟି କାରଣରୁ ସୁଭାଷ ଚନ୍ଦ୍ରଙ୍କ ଆଜାଦ ହିନ୍ଦୀ ସରକାର ଆଗକୁ ବଢ଼ିପାରି ନଥିଲା। ପ୍ରଥମ କାରଣ ସେ ସମୟରେ ଯୁଦ୍ଧ ଜଙ୍ଗଲରେ ଲଢ଼ାଯାଉଥିଲା। ଆଉ ସେ ସମୟ ଜୁଲାଇ ମାସ ଥିଲା। ଅତ୍ୟଧିକ ବର୍ଷା ଯୋଗୁ ସେନା ଆଗକୁ ବଢ଼ିବା ଜଟିଳ ଥିଲା। ଦ୍ୱିତୀୟ କାରଣ ହେଉଛି ଆଜାଦ ହିନ୍ଦୀ ସରକାର ପାଖରେ ଏୟାର ସପୋର୍ଟ ନଥିଲା।  ବ୍ରିଟିଶ ସେନା ପାଖରେ ଲଢ଼ୁଆ ବିମାନ ଥିଲା। ଯେଉଁଥିପାଇଁ ଆଜାଦ ହିନ୍ଦ ସରକାରର ସେନା ଅସହାୟ ହୋଇପଡ଼ିଥିଲା। ଛାତ୍ର ଜୀବନରୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ନେତାଜୀ ଥିଲେ କଠୋର ବାସ୍ତବବାଦୀ। ସେ କହୁଥିଲେ ଅଧିକାର ଓ ନ୍ୟାଯ୍ୟ ଦାବି ଭିକ୍ଷାକରି ନୁହେଁ, ବରଂ ତାକୁ ଛଡାଇ ଅଣାଯାଏ ବଳପୂର୍ବକ।

ଅନ୍ୟପକ୍ଷରେ ଗାନ୍ଧିଜୀ ଥିଲେ ଅହିଂସାର ପୂଜାରୀ। ଅହିଂସାର ନାରାକୁ ଦୁର୍ବଳତାର ଦାସ ଭାବି ଭାରତୀୟଙ୍କ ଉପରେ ଗୁଳି ବର୍ଷା କରିବା ବ୍ରିଟିଶରଙ୍କ ଏକ ପ୍ରକାର ସୌକ ଥିଲା। କିନ୍ତୁ ସୁଭାଷ ରକ୍ତ ବଦଳରେ ରକ୍ତ ନାରା ଦେଇ ଦେଶବାସୀଙ୍କ ମନରେ ଅଗ୍ନିସ୍ପୁରିତ ଉତ୍ସାହ ଭରିଦେଇଥିଲେ। ସୁଭାଷଙ୍କ ରକ୍ତ ରଂଜିତ ସଂଗ୍ରାମରେ ବ୍ରିଟିଶରଙ୍କ ୪୫,୦୦୦ରୁ ଅଧିକ ସୈନ୍ୟ ନିହତ ହୋଇଥିଲେ। ବର୍ମା ଯୁଦ୍ଧରେ ସୁଭାଷ ସେନାଙ୍କ ଚକ୍ରବ୍ୟୁହରେ ଏମିତି ଫସିଥିଲେ ବ୍ରିଟଶ ସେନାର ୧୦,୦୦୦ରୁ ଅଧକ ସେନା ରୋଗାକ୍ରାନ୍ତର ଶିକାର ହୋଇଥିଲେ। ଏହି ଲଢ଼େଇରେ ଆମେରିକାର ୩,୦୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି କାରଣ ପାଇଁ ବ୍ରିଟିଶ ଏବଂ ଆମେରିକାର ଗୋଇନ୍ଦା ବିଭାଗ ସୁଭାଷଙ୍କୁ ସନ୍ଧାନରେ ଲାଗିପଡ଼ିଥିଲେ।  ବ୍ରିଟିଶରମାନେ ତାଙ୍କ ବିରୋଧରେ ୧,୦୦୦ ସୈନିକଙ୍କ ମୃତ୍ୟୁର ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗ ସୁବାଷଙ୍କ ପାଇଁ କୌଣସି ମେଡାଲଠାରୁ କମ୍ ନଥିଲା।

ଅଗଷ୍ଟ ୧୯୪୫ରେ ଆମେରିକା ଜାପାନର ହିରୋସିମା ଓ ନାଗାସାକି ଉପରେ ପରାମାଣୁ ବୋମା ନିକ୍ଷେପ କରିଥିଲା। ଫଳରେ ଜାପାନ ଆତ୍ମସମର୍ପଣ କରିଥିଲା। ଏହା ସୁଭାଷଙ୍କ ପାଇଁ ସବୁଠାରୁ ବଡ଼ ଝଟକା ଥିଲା। ଆମେରିକା ଓ ବ୍ରିଟେନ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜିତିଗଲେ। ତଥାପି ନେତାଜୀ ସାହସ ଭାଙ୍ଗି ନଥିଲେ। ସ୍ୱାଧୀନତାର ନୂଆ ମିଶନ ପାଇଁ ଯାତ୍ରା ଜାରି ରଖିଥିଲେ ନେତାଜୀ।  କୁହାଯାଉଛି, ୧୮ ଅଗଷ୍ଟ ୧୯୪୫ରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଆଜି ବି ତାଙ୍କର ମୃତ୍ୟୁ ଏକ ରହସ୍ୟ ହୋଇ ରହିଛି। ତେବେ ଭାରତର ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିଥିବା ବ୍ରିଟିଶରଙ୍କୁ ସୁଭାଷ ଜଣାଇ ଦେଇଥିଲେ ଯେ, ଅହିଂସା ଓ ଶାନ୍ତିର ମନ୍ତ୍ର ବାଣ୍ଟୁଥିବା ଭାରତକୁ ଶସ୍ତ୍ରରେ ମଧ୍ୟ ଜବାବ ଦେଇ ଆସେ। ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିବା ସେଇ ଦୁର୍ଦ୍ଧର୍ଷ ମହାରଥୀଙ୍କ ନେତୃତ୍ୱ ଓ ତ୍ୟାଗ ନିଶ୍ଚୟ କାଳ କାଳ ପାଇଁ ଅବିସ୍ମରଣୀୟ ହୋଇ ରହିବ।

(ପ୍ରସ୍ତୁତି- ତାପସ ରଞ୍ଜନ ବେହେରା)

The post ଓଡ଼ିଶାର ଗର୍ବ ସୁଭାଷ ଥିଲେ ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3qHH9dL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages