ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସମଗ୍ର ଦେଶରେ ଆରମ୍ଭ ହେବ କରୋନା ବିରୋଧୀ ଟିକାକରଣ। ଆସନ୍ତାକାଲି ସକାଳ ୧୦.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ଏହାକୁ ଉଦଘାଟନ କରିବେ। ଦେଶର ୩୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦିନରେ ଟିକା ଦେବାକୁ ଯୋଜନା କରାଯାଇଛି। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଟିକାକରଣ ବେଳେ କ’ଣ ସବୁ କରିବାକୁ ପଡ଼ିବ ଓ କାହାକୁ କେତେବେଳେ ଟିକା ଦିଆଯିବ ସେ ବିଷୟରେ କେନ୍ଦ୍ର ସରକାର ରୁଲ୍ ବୁକ୍ରେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ସରକାର କହିଛନ୍ତି, ୧୮ ବର୍ଷ ବୟସରୁ କମ ବୟସ୍କଙ୍କୁ ଟିକା ଦିଆଯିବ ନାହିଁ। ସେହିପରି ଗର୍ଭବତୀ କିମ୍ବା ଗର୍ଭବତୀ ଅଛନ୍ତି କି ନାହିଁ ଠିକ ଭାବେ ଜାଣି ନଥିବା ଲୋକ, ସ୍ତନ୍ୟ ପାନ କରାଉଥିବା ମା’ ମଧ୍ୟ ଟିକା ନେବେ ନାହିଁ।
ଟିକାକୁ କୌଣସି କ୍ଷେତ୍ରରେ ବଦଳ କରାଯାଇ ପାରିବ ନାହିଁ। ଯେଉଁ କମ୍ପାନୀର ଟିକା ଜଣେ ବ୍ୟକ୍ତି ପ୍ରଥମ ଥର ନେଇଥିବେ ଦ୍ୱିତୀୟ ଡୋଜ୍ ବେଳେ ସମାନ ଟିକା ନେବାକୁ ବାଧ୍ୟ।
ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ କେବଳ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ମିଳିଛି। ଏହି ଟିକାର ଦୁଇଟି ଡୋଜ୍ ଜଣେ ବ୍ୟକ୍ତି ନେଇପାରିବେ। ପ୍ରଥମ ଡୋଜ୍ର ୨୮ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ।
ଯଦି ଜଣେ ବ୍ୟକ୍ତି କରୋନା ଟିକା ବ୍ୟତୀତ ଅନ୍ୟ ରୋଗ ପାଇଁ ଟିକାର ନେବାର ଥିବ, ତା’ହେଲେ ଦୁଇଟି ଟିକା ମଧ୍ୟରେ ଅନୂନ୍ୟ ୧୪ ଦିନର ବ୍ୟବଧାନ ରହିବ।
ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଛି ବା ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତା’ହେଲେ ତାଙ୍କୁ ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ ଟିକା ଦିଆଯିବ।
ପ୍ଳାଜମା ଥେରାପି ଦ୍ୱାରା ସୁସ୍ଥ ହୋଇଥିବା ବ୍ୟକ୍ତି ଓ ଅନ୍ୟାନ୍ୟ ରୋଗରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କୁ ମଧ୍ୟ ଠିକ୍ ହେବାର ୪ରୁ ୮ ସପ୍ତାହ ପରେ ଟିକା ଦେବାକୁ କେନ୍ଦ୍ର ସରକାର କହିଛନ୍ତି।
ଟିକାକରଣ କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତିଆରି କରିଥିବା କୋ-ୱିନ ଆପ୍ରେ ରହିବ। ଏହି ଆପ୍ ଦ୍ୱାରା କେତେ ଟିକା ମହୁଜଦ ଅଛି, ଏହାକୁ କେତେ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ରଖାଯାଇଛି ଓ କିଏ ଏହି ଟିକା ନେଲେ, ସେ ବିଷୟରେ ଜାଣିହେବ।
ଟିକାକରଣ ସମ୍ପର୍କିତ ତଥ୍ୟ ଲୋକଙ୍କୁ ଦେବା ପାଇଁ ୨୪ ଘଣ୍ଟିଆ ହେଲପ ଲାଇନ ନଂ ୧୦୭୫ ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦୦୬ଟି କେନ୍ଦ୍ର ଖୋଲା ଯାଇଥିବା ବେଳେ ଆଗକୁ ଏହା ୫ ହଜାରରେ ପହଞ୍ଚିବ ବୋଲି କେନ୍ଦ୍ର ସରକାର କହିଛନ୍ତି।
The post ଟିକାକରଣ ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର appeared first on Odisha Reporter.
from Odisha Reporter https://ift.tt/3qzrkGf
No comments:
Post a Comment