କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣିଥରେ ଝଟକା ଲାଗିଛି। ମମତାଙ୍କ ସରକାରରେ ଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ରାଜ୍ୟ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ମମତାଙ୍କୁ ଗୋଟିଏ ଚିଠି ଲେଖିଛନ୍ତି। ହେଲେ ସେ କାହିଁକି ଇସ୍ତଫା ଦେଲେ, ସେ ସମ୍ପର୍କରେ ଚିଠିରେ କିଛି ବି କହିନାହାନ୍ତି।
ସେ ଚିଠିରେ କହିଛନ୍ତି, ପଶ୍ଚିବଙ୍ଗର ଲୋକଙ୍କ ସେବା କରିବା ମୋ ପାଇଁ ଭାଗ୍ୟ ଓ ଗର୍ବର ବିଷୟ ଥିଲା। ଲୋକଙ୍କ ସେବା କରିବାରୁ ସୁଯୋଗ ମିଳିଥିବାରୁ ମୁଁ ସମସ୍ତଙ୍କ ପାଖରେ ଋଣୀ ବୋଲି ସେ କହିଛନ୍ତି।
ରାଜୀବ ୪ର୍ଥ ମନ୍ତ୍ରୀ ଭାବେ ମମତାଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ସୋଭନ ଚାଟାର୍ଜୀ, ଏହାପରେ ଶୁଭେନ୍ଦୁ ଅଧିକାରୀ ଓ ଶେଷରେ ଲକ୍ଷ୍ମୀ ରତନ ଶୁକ୍ଳା ଇସ୍ତଫା ଦେଇଥିଲେ। ଏବେ ଏହି ତାଲିକାରେ ରାଜୀବ ଯୋଡ଼ି ହୋଇ ଯାଇଛନ୍ତି।
ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜୀବ ରାଜ୍ୟପାଳ ଜଗଦୀପ ଧାନକରଙ୍କୁ ଭେଟିଥିଲେ। ସେ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ ମଧ୍ୟ କରି ନେଇଛନ୍ତି। ଦମଜୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ରାଜୀବ ଗୋଟିଏ ସପ୍ତାହ ହେଲାଣି ଟିଏମସି ଉପରେ କ୍ଷୁବ୍ଧ ରହିଥିଲେ। ସେ ଖୋଲାଖୋଲି ଭାବେ ଟିଏମସି ବିରୋଧରେ ମଧ୍ୟ ମତ ଦେଉଥିଲେ।
ଅନ୍ୟପକ୍ଷରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେଁ ଟିଏମସି ଛାଡ଼ିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
The post ମମତାଙ୍କ ହାତ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3bZxBXp
No comments:
Post a Comment