ଯାଜପୁର(ଅଭୟ ପତି): “କଥା କଥାରୁ ଆରମ୍ଭ ହେଲା ପ୍ରେମ। ମିଶିଗଲା ୪ ଆଖି। କାମ ଦେଲାନି ପରିବାର ଲୋକଙ୍କ ଆକଟ। ସମାଜର ନାଲି ଆଖିକୁ ବି ଡର ଲାଗିଲାନି। ପରସ୍ପରକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବଞ୍ଚିବା କଷ୍ଟକର ଲାଗିଲା। ଶେଷରେ ସମାଜର ବନ୍ଧବାଡ଼ ଡେଇଁ ଦୁହେଁ ନିଜର ଗୋଟିଏ ଛୋଟ ସଂସାର ଗଢ଼ିଲୁ। ଆମେ ଆମ ଦୁନିଆରେ ବହୁତ ଖୁସିରେ ଥିବା ବେଳେ ହାଣି ଦେବାକୁ ମାରି ଦେବାକୁ ମିଳୁଛି ଧମକ। ତେଣୁ ଆମକୁ ସୁରକ୍ଷା ଦରକାର।” ଏପରି କହି ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡିରେ ସୁରକ୍ଷା ଦାବି କରିଛନ୍ତି ଏକ ନବ ବିବାହିତ ସମଲିଙ୍ଗୀ ଦମ୍ପତି।
ସୂଚନା ଅନୁଯାୟୀ, ପ୍ରାୟ ୨ ବର୍ଷ ପୂର୍ବେ ଉଭୟ ଯୁବତୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେତେବେଳେ କେହି କାହାକୁ ଜାଣି ନ ଥିବା ବେଳେ ଧିରେ ଧିରେ ଉଭୟ ପରସ୍ପରକୁ ମନ ଦେଇ ବସିଲେ। ଏହାପରେ ପ୍ରେମ ନିଶା ଏପରି ବଢ଼ିଲା ଯେ, କେହି କାହାକୁ ଦଣ୍ଡେ ନ ଦେଖିଲେ ପାଗଳ ଭଳି ଲାଗୁଥିଲା। ପ୍ରାୟ ୨ ବର୍ଷ ଏପରି ସମ୍ପର୍କରେ ରହିବା ପରେ ଏହି ୨ ଯୁବତୀ ବିବାହ କରିବାକୁ ସ୍ଥିର କରିଥିଲେ। ଉଭୟଙ୍କ ପରିବାର ଲୋକ ଏହାର ଘୋର ବିରୋଧ କରିଥିବା ବେଳେ ସେମାନେ କିନ୍ତୁ ନିଜ ଜିଦ୍ରେ ଅଟଳ ଥିଲେ। ଏହାପରେ ଗତ ୨ ତାରିଖରେ ସବୁ ଦିନ ପାଇଁ କୋର୍ଟ ମ୍ୟାରେଜ କରି ଦୁହେଁ ଦୁହିଁଙ୍କର ହୋଇଗଲେ।
କୋର୍ଟ ମ୍ୟାରେଜ କରି ଆଇନଗତ ସ୍ୱିକୃତୀ ପାଇ ଆମେ ଦୁଇଜଣ ବହୁତ ସୁଖରେ ଅଛୁ। ହେଲେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦମ୍ପତି ଦ୍ୱୟ। ହାଣି ଦେବୁ, କାଟି ଦେବୁ ବୋଲି ଧମକ ଦେଇ ପରିବାର ଲୋକେ ଆମକୁ ଭୟଭୀତ କରୁଛନ୍ତି। ତେଣୁ ନିଜର ସୁରକ୍ଷା ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛୁ।
ଏହି ଦମ୍ପତିଙ୍କୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ୨୨ ଓ ଅନ୍ୟ ଜଣଙ୍କୁ ୨୧ ବର୍ଷ। ୨୨ ବର୍ଷୀୟା ଯୁବତୀଜଣକ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ଜଣେ ଯୁବତୀଙ୍କ ବାପା କୋରେଇ ଥାନାରେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ସମଲିଙ୍ଗୀ ଦମ୍ପତି କହିଛନ୍ତି, “ଆମେ ସାବାଳକ । ନିଜ ଇଚ୍ଛାରେ ଆଇନଗତ ଭାବେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଲୁ। ଆମେ ଏବେ ବହୁତ ଖୁସି ଅଛୁ। ହେଲେ ପରିବାର ଲୋକ ଫୋନ୍ କରି ଧମକଚମକ ଦେଉଛନ୍ତି। କେବଳ ଏତିକି ନୁହେଁ। ଆମକୁ ହାଣିଦେବାକୁ ମଧ୍ୟ ଧମକ ଦେଉଛନ୍ତି। ତେଣୁ ଆମକୁ ଆମ ବାଟରେ ଛାଡ଼ି ଦିଅ। ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଛୁ।”
ଏ ନେଇ ସମଲିଙ୍ଗୀ ଦମ୍ପତି ଦାନଗଦି ଫାଣ୍ଡିରେ ଅଭିଯୋଗ କରିବା ପରେ କୋରେଇ ପୋଲିସ ଉଭୟଙ୍କୁ କୋରେଇ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛି। ଏହି ସମିଲିଙ୍ଗି ବିବାହ କଳିଙ୍ଗନଗର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
The post କଥା କଥାରୁ ପ୍ରେମ ଆରମ୍ଭ, କାମ ଦେଲାନି ନାଲି ଆଖି appeared first on Odisha Reporter.
from Odisha Reporter https://ift.tt/2N8f3tR
No comments:
Post a Comment