ସିଡ୍ନୀ: ତୃତୀୟ ଟେଷ୍ଟରେ ବିଜୟ ପାଇଁ ଭାରତକୁ ଦରକାର ୪୦୭ ରନ୍। ଏହି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଦେଖାଇଛି ଦମ୍ଦାର ପ୍ରଦର୍ଶନ। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସ୍ରେ ବି ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍ ଦେଇଛନ୍ତି ବଢ଼ିଆ ଆରମ୍ଭ। କିନ୍ତୁ ଦୁହେଁ କ୍ରିଜ୍ରେ ତିଷ୍ଠି ରହିବାରେ ବିଫଳ ହୋଇଛନ୍ତି। ରୋହିତ ୫୨ ରନ୍ (୯୮ ବଲ୍, ୫ ଚୌକା, ୧ ଛକା) କରି ଆଉଟ୍ ହୋଇଯାଇଥିବା ବେଳେ ଶୁବମନ ଗିଲ୍ ୩୨ ରନ୍ (୬୪ ବଲ୍, ୪ ଚୌକା) କରି ଆଉଟ୍ ହୋଇଯାଇଛନ୍ତି। ଚେତେଶ୍ୱର ପୂଜାରା ୯ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୪ ରନ୍ କରି ଅପରାଜିତ ଅଛନ୍ତି। ଏହା ସହିତ ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳ ୯୮ ରନ୍ କରିଛି। ଜିତିବା ପାଇଁ ଦଳକୁ ଦରକାର ଆହୁରି ୩୦୯ ରନ୍।
ମ୍ୟାଚ୍ ଜିତିବାକୁ ହେଲେ ପୂଜାରା ଓ ରାହାଣେଙ୍କୁ ବଡ଼ ସ୍କୋର କରିବାକୁ ହେବ। କାରଣ ଆହତ ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂ କରିବାକୁ ଆସିପାରିବେ ନାହିଁ। ସେହିପରି ଆହତ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସିପାରିବେ ନା ନାହିଁ, ସ୍ପଷ୍ଟ ହୋଇପାରିନି। ତେଣୁ ଭଲ ଆରମ୍ଭ ସତ୍ତ୍ୱେ ଭାରତ ପାଇଁ ସଙ୍କଟ ଟଳିନାହିଁ।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ୬ ୱିକେଟ୍ ହରାଇ ୩୧୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଦଳ ପ୍ରଥମ ଇନିଂସ୍ରେ ୯୪ ରନ୍ ଅଗ୍ରଣୀ ଲାଭ କରିଥିଲା।
ଦ୍ୱିତୀୟ ଇନିଂସ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଡାଭିଡ୍ ୱାର୍ଣ୍ଣର ୧୩ ରନ୍ କରିଥିବା ବେଳେ ୱିଲ୍ ପୁକୋଭସ୍କି ୧୦, ମାର୍ନସ ଲାବୁଶେନ୍ ୭୩, ଷ୍ଟିଭ୍ ସ୍ମିଥ୍ ୮୧, ମାଥ୍ୟୁ ୱାଡେ ୪, କାମେରନ ଗ୍ରୀନ ୮୪ ଓ ଟିମ୍ ପେନ୍ ୩୯ ରନ୍ (ଅପରାଜିତ) କରିଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ନବଦୀପ ସାଇନି ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
The post ଦୃଢ଼ ଜବାବ ସତ୍ତ୍ୱେ ଟଳିନି ସଙ୍କଟ appeared first on Odisha Reporter.
from Odisha Reporter https://ift.tt/3bu1YVJ
No comments:
Post a Comment