ନୂଆଦିଲ୍ଲୀ: ଥମୁନି ଚାଷୀଙ୍କ ଆନ୍ଦୋଳନ। ଦିନକୁ ଦିନ ଆହୁରି ବ୍ୟାପକ ହେଉଛି । ଦୀର୍ଘ ୩୮ ଦିନ ହେଲା ନିଜ ଜିଦରେ ଅଡି ବସିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅବିରତ ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ଭୀଷଣ ଥଣ୍ଡା ଯୋଗୁଁ ପ୍ରାୟ ୪୫ ଜଣ କୃଷକଙ୍କ ଜୀବନ ଗଲାଣି । ହେଲେ ଶନିବାର ଜଣେ କୃଷକଙ୍କ ଆତ୍ମହତ୍ୟା ଖବର ପୁରା ରାଜ୍ୟକୁ ଦୋହଲାଇ ଦଇଛି। ନିଜ ହକ୍ ପାଇଁ ଆନ୍ଦୋଳନ ସ୍ଥଳରେ ହିଁ ଜୀବନ ହାରିଛନ୍ତି ଜଣେ କୃଷକ ।
ସରକାରଙ୍କ ସହ ଆଲୋଚନା ପୂର୍ବରୁ ଉତ୍ତରପ୍ରଦେଶ ଗାଜିଆବାଦ ସୀମାର ଧାରଣା ସ୍ଥଳୀ ପାଖରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଚାଷୀ ଶୌଚାଳୟ ଭିତରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା କୃଷକଙ୍କ ପକେଟରୁ ଏକ ଚିଠି ମଧ୍ୟ ମିଳିଛି । ଏହି ଚିଠିରୁ ଯାହା ଜଣାପଡିଛି, କୃଷକ ଜଣକ ରାମପୁର ଜିଲ୍ଲାର ଏବଂ ତାଙ୍କ ନାଁ କାଶ୍ମୀର ସିଂହ । ତାଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀ- ୟୁପି ସୀମାରେ କରିବା ପାଇଁ କୃଷକ ଜଣକ ତାଙ୍କ ଚିଠିରେ ଲେଖିଛନ୍ତି ।
କୃଷକଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ କୃଷକ ସଙ୍ଗଠନ ନେତା ରାକେଶ ଟିକାୟତ ଭାବୁକ ହୋଇ କହିଛନ୍ତି କି କୃଷକ ଆନ୍ଦୋଳନ ଏବେ ଭାବନାତ୍ମକ ରୂପ ସହିତ ଯୋଡି ହୋଇସାରିଛି । ସରକାର ତାଙ୍କ ଜିଦ୍ ରେ ଅଟଳ ରହିବା ଯୋଗୁଁ କୃଷକମାନେ ସେମାନଙ୍କର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଲେଣି । ଫଳରେ ଏବେ ଆମକୁ ଏଭଳି ଘଟଣାର ସାମ୍ନା କରିବାକୁ ପଡୁଛି । ସେ ଆହୁରି କହିଛନ୍ତି କି ଯଦି ଆଗକୁ ସରକାର ଏଭଳି ଜିଦ୍ ରେ ଅଟଳ ରୁହନ୍ତି ତାହେଲେ କୃଷକମାନେ ସରକାରକୁ ମାଟିରେ ମିଶାଇ ଦେବେ । ଯେଉଁ ପର୍ଯ୍ୟନ୍ତ ସରକାର କୃଷକମାନଙ୍କର ଦାବି ମାନିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯ, ଆସନ୍ତା ୪ ତାରିଖରେ ସରକାର ଓ କୃଷକ ସଙ୍ଗଠନଙ୍କ ମଧ୍ୟରେ ପୁଣି ଥରେ ବୈଠକ ହେବ । ଯଦି ଏହି ବୈଠକରୁ କିଛି ସମାଧାନର ବାଟ ନ ବାହାରେ ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ । ସମସ୍ତ ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ କରାଯିବ। ବିଜେପି ଦଳ ଛାଡ ଆନ୍ଦୋଳନ ଆରମ୍ଭ କରାଯିବା ସହ ଟ୍ରାକ୍ଟର ରାଲିର ଆୟୋଜନ ମଧ୍ୟ କରଯିବ ବୋଲି କୃଷକ ସଙ୍ଗଠନ ଚେତାବନୀ ଦେଇଛନ୍ତି।
The post ହକ୍ ପାଇଁ ଆନ୍ଦୋଳନ ସ୍ଥଳରେ ଝୁଲି ପଡିଲେ ଚାଷୀ appeared first on Odisha Reporter.
from Odisha Reporter https://ift.tt/351nRI1
No comments:
Post a Comment