ରାଉରକେଲା (ଓଡ଼ିଶା ରିପୋର୍ଟର): ହକି ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ଦିଆଗଲା ଅନ୍ତିମ ବିଦାୟ। ଆଜି ରାଉରକେଲା ହମିରପୁର ଚର୍ଚ୍ଚରେ କିଣ୍ଡୋଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି କିଣ୍ଡୋଙ୍କ ମରଶରୀରକୁ ଆଇଜିଏଚ୍ ମର୍ଭ ହାଉସରୁ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ହମିରପୁର ଚର୍ଚ୍ଚରେ ତାଙ୍କୁ ଗ୍ରାଭିୟାର୍ଡ ଦିଆଯାଇଥିଲା।
ସେଠାରେ ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ, ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ କୁମାର, ଡେପୁଟୀ କମିଶନର ସୁଧାଂଶୁ ଶେଖର ଭୋଇ ଓ ସୀତାଦେବୀ ମାଝୀ, ରାଜ୍ୟ ହକି ଉନ୍ନୟନ କମିଟିର ଚେୟାରମ୍ୟାନ୍ ଦିଲୀପ ତିର୍କୀ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜିଏମ୍ ଅଜୟ ନାୟକ, ସିଜିଏମ୍ ବିଜୟ ରାଉତ ଓ ଧୀରେନ ମିଶ୍ର, ଡିଏସଓ ତେଜ୍ କୁମାର ଖେସ୍ ଉପସ୍ଥିତ ରହି ଏହି ମହାନ ହକି ତାରକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ରାଉରକେଲା କିଛି ଜଣାଶୁଣା ହକି କୋଚ୍, କ୍ରୀଡ଼ା ସଂଗଠନ, କ୍ରୀଡ଼ା ପ୍ରେମୀ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ପୂର୍ବତନ ହକି ତାରକା ମଧ୍ୟ ଉପସ୍ଥିତ ରହି କିଣ୍ଡୋଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସୂଚନାଯୋଗ୍ୟ, ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା କିଣ୍ଡୋଙ୍କର ୭୪ ବର୍ଷ ବୟସରେ ଗୁରୁବାର ଦେହାନ୍ତ ହୋଇଥିଲା। ତାଙ୍କ ପରଲୋକରେ ହକି ଜଗତରେ ଶୋକର ଛାୟା ଖେଳିଯାଇଥିଲା। କିଣ୍ଡୋ ୧୯୭୨ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ତିନି ତିନିଟି ବିଶ୍ୱକପରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୧୯୭୫ରେ କୁଆଲାଲମ୍ପୁରରେ ଭାରତୀୟ ଟିମର ସ୍ୱର୍ଣ୍ଣ ପଦକ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଭାରତୀୟ ହକି ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ମାଇକେଲ କିଣ୍ଡୋଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଲିମ୍ପିଆନ୍ ମାଇକେଲ୍ କିଣ୍ଡୋଙ୍କୁ ବିଦାୟ appeared first on Odisha Reporter.
from Odisha Reporter https://ift.tt/3hA1MoN
No comments:
Post a Comment