ଚଣ୍ଡିଗଡ଼: ନୂଆ କୃଷି ଆଇନ ବିରୋଧରେ ଦୀର୍ଘ ୫୧ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀଙ୍କ ଚାପରେ ସରକାର ସାମାନ୍ୟ ଚେପା ହେବାର ସଙ୍କେତ ମିଳିଛି। ପୂର୍ବରୁ କୃଷି ଆଇନ ସପକ୍ଷରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ର ସରକାର କହିଥିବା ବେଳେ ଏବେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।
କୃଷି ଆଇନ ସପକ୍ଷରେ ବର୍ତ୍ତମାନ ସ୍ଥିତିରେ କୌଣସି ସଭା କିମ୍ବା କାର୍ଯ୍ୟକ୍ରମ ନ କରିବାକୁ ଖୋଦ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନୋଟିସ୍ ଯାଏ କୃଷି ଆଇନ ସମର୍ଥିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ସେ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ରାଜ୍ୟର ଶିକ୍ଷା ମନ୍ତ୍ରୀ କନୱର ପଲ ଗୁଜ୍ଜର କହିଛନ୍ତି।
କିଛି ଦିନ ତଳେ ହରିଆଣର କର୍ଣ୍ଣାଲରେ କୃଷି ଆଇନ ସପକ୍ଷରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଯୋଗଦେଇ କୃଷି ଆଇନ ସପକ୍ଷରେ ମତ ଉପସ୍ଥାପନ କରିଥାଆନ୍ତେ। ହେଲେ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଚାଷୀମାନେ ସଭା ସ୍ଥଳରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିପାଇଁ କାର୍ଯ୍ୟକ୍ରମକୁ ବାତିଲ ମଧ୍ୟ କରାଯାଇଥିଲା। ଏହି ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଶ୍ରୀ ଶାହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ସମର୍ଥିତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ କହିଥିବା ଜଣାପଡ଼ିଛି।
ହରିଆଣା ଶିକ୍ଷା ମନ୍ତ୍ରୀ ଗୁଜ୍ଜର କହିଛନ୍ତି, କର୍ଣ୍ଣାଲରେ ସେଦିନ ଯାହା ଘଟିଲା, ତା’କୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ହରିଆଣା ସରକାର କୃଷି ଆଇନ ସମର୍ଥନରେ କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଆମେ ଚାଷୀମାନଙ୍କ ସହ କୌଣସି ବିବାଦ କିମ୍ବା ମୁହାଁମୁହିଁ ସ୍ଥିତି ସୃଷ୍ଟି କରିବାକୁ ଚାହୁଁନାହୁଁ ବୋଲି ସେ କହିଛନ୍ତି।
ଏଥିସହ ଶ୍ରୀ ଗୁଜ୍ଜର ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରବିବାର ଦିନ ଚାଷୀମାନେ କେମିତି ଆଚରଣ ପ୍ରଦର୍ଶନ କଲେ, ସେକଥା ପୂରା ରାଜ୍ୟ ଦେଖିଛି। ହେଲେ ପ୍ରକୃତ ଚାଷୀମାନେ କେବେ ହେଲେ ଏମିତି ଆଚରଣ ପ୍ରଦର୍ଶନ କରନ୍ତି ନାହିଁ ବୋଲି ସେ ମତ ଦେଇଛନ୍ତି।
ରବିବାର ୫୦୦ରୁ ଅଧିକ ଚାଷୀ ସଭା ଅନୁଷ୍ଠିତ ହେଉଥିବା ସ୍ଥାନକୁ ଧସେଇ ପଶିଥିଲେ। ଏହାପରେ ସଭାସ୍ଥଳରେ ଥିବା ପୋଷ୍ଟର ବ୍ୟାନରକୁ ଚିରିବା ସହ ଚେୟାର ଗୁଡ଼ିକୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ପୁଲିସ୍ ସେମାନଙ୍କ ଉପରେ ଲାଠି ଚାର୍ଜ କରିବା ସହ ପାଣି ମାଡ଼ କରିଥିଲା। ତଥାପି ଚାଷୀମାନେ ସଭା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।
ମୁଖ୍ୟମନ୍ତ୍ରୀ ଖଟ୍ଟର ହେଲିକପ୍ଟର ଯୋଗେ ଏହି ସ୍ଥାନକୁ ଆସି ଭାଷଣ ଦେବାର ଥିଲା। ହେଲେ ଚାଷୀଙ୍କ ଆକ୍ରୋଶ ଯୋଗୁ ସେ ଅଧାରୁ ଫେରି ଯାଇଥିଲେ।
The post କୃଷି ଆଇନ ସପକ୍ଷରେ କାର୍ଯ୍ୟକ୍ରମ ନ କରିବାକୁ ନିର୍ଦ୍ଦେଶ ଦେଲେ ଅମିତ ଶାହ appeared first on Odisha Reporter.
from Odisha Reporter https://ift.tt/39tmC5H
No comments:
Post a Comment