ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁରରେ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି କୁଳମଣିଙ୍କ ସହଯୋଗୀ ଦିବ୍ୟସିଂହ ବରାଳ। କୁଳମଣିଙ୍କ ସହିତ ତାଙ୍କୁ ବି ଆକ୍ରମଣ କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ଗତକାଲି ସାଲେପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଳମଣିଙ୍କ ଗାଁରେ ଜଣେ ଏଏସ୍ପି, ଜଣେ ଏସ୍ଡିପିଓ ଓ ୫ ଜଣ ଅଫିସରଙ୍କ ସହିତ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଆଜି ସ୍ଥିତି ଶାନ୍ତ ଓ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଏହା ଏକ ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ ବୋଲି କୁଳମଣିଙ୍କ ପରିବାର ଓ ତାଙ୍କର ଦଳର କିଛି ନେତା ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା। କେବଳ ମାହାଙ୍ଗା ନୁହେଁ, ପୂରା ଜିଲ୍ଲା ପାଇଁ ଓ ଭାରତୀୟ ଜନତା ଦଳ ପାଇଁ ଏହା ଏକ କ୍ଷତି। ରଜନୈତିକ ଅଭିସନ୍ଧି ରଖି ଏହି ହତ୍ୟା କରାଯାଇଛି। ଶାସକ ଦଳର ସ୍ଥାନୀୟ ଅଞ୍ଚଳର ନେତାଙ୍କ ଇଙ୍ଗିତରେ ଏହି ହତ୍ୟା କରାଯାଇଛି।
ସେହିପରି କଂଗ୍ରେସ ନେତା ଦେବେନ୍ଦ୍ର ସାହୁ କହିଛନ୍ତି, ମାହାଙ୍ଗା ଅଞ୍ଚଳରେ ଅରାଜକତା ସୃଷ୍ଟି ହୋଇଛି। କିଏ ଅରାଜକତା କରୁଛି, ତାହା ସମସ୍ତେ ଜାଣିଛନ୍ତି। କୁଳମଣି ବାବୁ ଜଣେ ଭଲ ଲୋକ ଥିଲେ। ଏ ଅଞ୍ଚଳ ପାଇଁ ସେ ବହୁତ କାମ କରିଛନ୍ତି। ଯିଏ ତାଙ୍କୁ ହତ୍ୟା କରିଛି, ତାକୁ ତୁରନ୍ତ ଧରାଯାଇ ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯାଉ।
ଗତକାଲି ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ।ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।
The post ବିଜେପି ନେତାଙ୍କୁ ହତ୍ୟା ଘଟଣା, ସହଯୋଗୀଙ୍କର ମଧ୍ୟ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3n7ji55
No comments:
Post a Comment