ରାଉରକେଲା(ପବନ ତିୱାରୀ): ପାକିସ୍ତାନ ଲାହୋର ଜେଲ୍ରେ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦୀ ଜୀବନ କାଟି ଗାଁକୁ ଫେରିଥିବା ବିରଜୁ କୁଲୁ ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଏନେଇ ପୁଲିସ୍ ପକ୍ଷରୁ ତନାଘନା ଚାଲିଥିବା ବେଳେ ଆଜି ତାଳଚେରରୁ ବିରଜୁଙ୍କୁ ଠାବ କରାଯାଇଥିବା ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏହି ଖବର ପାଇବା ପରେ ବିରଜୁଙ୍କୁ ଆଣିବା ଲାଗି କୁତ୍ରା ଥାନା IICଙ୍କ ନେତୃତ୍ୱରେ ଏକ ଟିମ୍ ତାଳଚେର ଗସ୍ତ କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ପାକିସ୍ତାନ ଲାହୋର ଜେଲ୍ରେ ୨୦ ବର୍ଷ ବନ୍ଦୀ ଜୀବନ କାଟି ଗତ ନଭେମ୍ବରରେ ନିଜ ଜନ୍ମ ମାଟିରେ ପହଞ୍ଚିଥିଲେ ବିରଜୁ। ହେଲେ ତାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ମେଡିକାଲ୍ ଟିମ୍ ନିୟମିତ ତାଙ୍କ ମେଡିକାଲ୍ ଚେକ୍ଅପ୍ କରୁଥିଲା। ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ତାଙ୍କୁ ୨ ଆଗୁଆ ୨ ମାସର ରାସନ ଦିଆଯାଇଥିବା ବେଳେ ଘର ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ଏହାସତ୍ତ୍ୱେ ପୁଣି ଥରେ ପାକିସ୍ଥାନ ଫେରିଯିବାକୁ ବିରଜୁ ମନ ବଳାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଏହାପରେ ଗତ ଶନିବାର ରାତି ଗୋଟାଏରୁ ବିରଜୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ବିଭିନ୍ନ ଆଡ଼ୁ ଖୋଜାଖୋଜି କରି ନିରାଶ ହେବା ପରେ ରବିବାର ଅପରାହ୍ନରେ ତାଙ୍କ ଭଉଣୀ କୁତ୍ର। ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିରଜୁଙ୍କ ଫଟୋ ଆଖପାଖ ଥାନାକୁ ପଠାଇଥିଲା। ଏପରିକି ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ଥାନାକୁ ମଧ୍ୟ ଖବର ଦିଆଯାଇଥିବା ନେଇ ସୁନ୍ଦରଗଡ଼ ଏସ୍ପି ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ବିରଜୁ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଗତବର୍ଷ ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲ୍ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ ସେଣ୍ଟରରେ ରଖାଯାଇଥିଲା। ଏହାପରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଅଣାଯାଇଥିଲା। ସେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲି ଗାଁରେ ପରିବାର ସହ ରହୁଥିବା ବେଳେ ଗତ ଶନିବାରଠୁ ନିଖୋଜ ହୋଇଯାଇଥିଲେ।
The post ପାକିସ୍ତାନ ଜେଲ୍ରୁ ଫେରି ନିଖୋଜ ଥିବା ବିରଜୁଙ୍କ ପତ୍ତା ମିଳିଲା appeared first on Odisha Reporter.
from Odisha Reporter https://ift.tt/38dt3KF
No comments:
Post a Comment