ଜୟପୁର: ଯାତ୍ରୀବାହୀ ବସ୍ରେ ଲାଗିଲା ବିଦ୍ୟୁତ୍ ତାର। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଳା ବସ୍। ଆଉ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ଏକ ଭୟାନକ ଦୁର୍ଘଟଣା ଘଟିଛି ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁର ଗାଁରେ।
୬ ମୃତକଙ୍କ ମଧ୍ୟରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଅଛନ୍ତି। ଅନ୍ୟ ୪ ଜଣ ହେଉଛନ୍ତି ଯାତ୍ରୀ। ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅନେକ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ବସ୍ଟି ରାସ୍ତା ଭୁଲି ମହେଶପୁର ଗାଁ ଭିତରକୁ ପଶି ଯାଇଥିଲା। ଗାଁରେ ଗୋଟିଏ ସ୍ଥାନରେ ୧୧ କେଭିର ବିଦ୍ୟୁତ୍ ତାର ଟିକେ ଓହଳି ପଡ଼ିଥିଲା। ବସ୍ରେ ତାରଟି ଲାଗିଯିବ ଦେଖି ସେଇଟିକୁ ଟିକେ ଉପରକୁ ଉଠାଇବାକୁ କଣ୍ଡକ୍ଟର ବସ୍ ଉପରକୁ ଚଢ଼ି ଯାଇଥିଲେ। ସେ ଏକ କାଠ ସାହାଯ୍ୟରେ ତାରଟିକୁ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାହା ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ସେ ଓ ତାଙ୍କ ପଛରେ ଥିବା ଡ୍ରାଇଭର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଥିଲେ।
ସେହିପରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ମାତ୍ରେ ବସ୍ଟିରେ ନିଆଁ ଲାଗିଯାଇଥିଲା। ବିଦ୍ୟୁତ୍ ଝଟକାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୬ ଜଣ ଗୁରୁତରଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
The post ବସ୍ରେ ପଡ଼ିଗଲା ବିଦ୍ୟୁତ୍ ତାର, ୬ ମୃତ appeared first on Odisha Reporter.
from Odisha Reporter https://ift.tt/3bNzOp0
No comments:
Post a Comment