ସାଲେପୁର(ମନୋଜ ଆଚାର୍ଯ୍ୟ): ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାକୁ ନେଇ ଥମୁନି ତାତି। ବିଜେପି ଆନ୍ଦୋଳନକୁ ଜୋରଦାର କରିବା ସହ ଆଜି ସମସ୍ତ ଏସ୍ପି ଅଫିସ୍ ଘେରାଉ କରିବା କାର୍ଯ୍ୟକ୍ରମ ରହିଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବିରେ ସାରା ରାଜ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ସେପଟେ ଗତକାଲି ମାମଲାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍। ଅନ୍ୟମାନେ ହେଲେ ସେହି ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଏବଂ ନୃତ୍ତଙ୍ଗ ଗାଁର କ୍ଷୀତୀଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳ । ତେବେ ଏମାନେ କାହିଁକି ଓ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କଲେ, ସେ ନେଇ ପୁଲିସ୍ କୌଣସି ସୂଚନା ଦେଇନି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି।
ଏସ୍ପି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଜଙ୍କୋଟି ଗାଁର ପଞ୍ଚାନନ ସେଠୀ। ସେ ସେହି ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଓ ନୃତ୍ତଙ୍ଗ ଗାଁର ଖିତିଶ ଆଚାର୍ଯ୍ୟ ଏବଂ ଲଳିତ ମୋହନ ବରାଳଙ୍କ ସହ ମିଶି ହତ୍ୟାକାଣ୍ଡ ଘଟାଇଛି। ତେବେ ଏମାନେ କାହିଁକି ଓ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା କଲେ? ରାଜନୈତିକ ଶତ୍ରୁତା ନା କାହା ଇଙ୍ଗିତରେ ଏହି ଜଘନ୍ୟ କାଣ୍ଡ ଘଟାଇଲେ? ସେନେଇ କିନ୍ତୁ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ଏସ୍ପି। କହିଥିଲେ ତଦନ୍ତ ଚାଲୁ ରହିଛି, ପରବର୍ତ୍ତୀ ସମୟରେ ଅଧିକ ସୂଚନା ଦେବେ ବୋଲି ଏସ୍ପି କହିଛନ୍ତି।
ଗତକାଲି ଦିନ ପାଖାପାଖି ସାଢ଼େ ଗୋଟାଏ ବେଳେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀକୁ ଧରି ହତ୍ୟାକାଣ୍ଡ ସ୍ଥଳରେ ନେଇଥିଲା ମାହାଙ୍ଗା ପୁଲିସ। ପ୍ରଥମେ ଜଙ୍କୋଟି-ନୃତ୍ତଙ୍ଗ ମଝି ରାସ୍ତାର ମର୍ଡର ପ୍ଲେସ୍ରେ ପଞ୍ଚାନନକୁ ଗାଡ଼ିରୁ ଓହ୍ଲାଇ ଏକ ବିଦ୍ୟୁତ ଖୁଣ୍ଟ ପାଖକୁ ନେଇଥିଲା। ଯେଉଁଠି ନୃଶଂସ ହତ୍ୟା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପ୍ରଥମେ ତାର କାଟି ଲାଇଟ୍ ଅଫ୍ କରିଥିବା କହିଥିଲା। ତା’ପରେ ସେଠୁ ପ୍ରାୟ ୧ କିଲୋମିଟର ଦୂର ଜଙ୍କୋଟି କେନାଲ ବନ୍ଧ ନିକଟ ଏକ ବୁଦୁବୁଦିକା ଜଙ୍ଗଲିଆ ସ୍ଥାନକୁ ହତ୍ୟାକାରୀକୁ ନିଆଯାଇଥିଲା। ଯେଉଁଠି ମୁଖ୍ୟଅଭିଯୁକ୍ତ ଲୁଚାଇ ରଖିଥିବା ହତ୍ୟାରେ ବ୍ୟବହୃତ ଖଣ୍ଡା। ପୁଲିସ ତାକୁ ମଧ୍ୟ ଜବତ କରିଥିଲା।
ଗତ ଶନିବାର ସଞ୍ଜ ବେଳେ କୁଳମଣି ଓ ତାଙ୍କ ସହଯୋଗୀ ବାଇକ୍ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁଳମଣିଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ଼ ମେଡିକାଲ୍ରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମାହାଙ୍ଗାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେପି।
ସ୍ଥିତି ବିଗୁଡ଼ୁଥିବା ଦେଖି ମାମଲାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଏସ୍ପିଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ରାତି ଅଧିଆ ଉଠାଇ ଆଣି ଅଜ୍ଞାତବାସରେ ରଖି ପଚରାଉଚରା କରିଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଥିଲା ମାହାଙ୍ଗା ପୁଲିସ୍ । ପରେ ମୁଖ୍ୟଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଗ୍ରାମାଞ୍ଚଳ ଏସ୍ପି ବି.ଯୁଗଳ କିଶୋର କହିଥିଲେ।
ଏଣେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ପୂର୍ବ ଘୋଷଣା ମୁତାବକ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ହୋଇଛି ବିକ୍ଷୋଭ। ନୟାଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ କୁଶପୁତ୍ତଳିକା ଦାହ କରାଯାଇଥିଲା। ତା’ସହ ଆସନ୍ତାକାଲି ସବୁ ଏସ୍ପି ଅଫିସ୍ ଓ ୮ରେ ଡିଜି ଅଫିସ୍ ଘେରାଉ ପାଇଁ ମଧ୍ୟ ସ୍ଥିର ହୋଇଛି।
The post ମାହାଙ୍ଗା ଡବଲ ମର୍ଡର: ଆଜି ରାଜ୍ୟ ସାରା ଏସ୍ପି ଅଫିସ୍ ଘେରିବ ବିଜେପି appeared first on Odisha Reporter.
from Odisha Reporter https://ift.tt/395JYOD
No comments:
Post a Comment