ନୂଆଦିଲ୍ଲୀ: ଟିକା ନେଲେ ଏମ୍ସ ନିର୍ଦ୍ଦେଶକ। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ ଆଜି କୋଭିଡ-୧୯ ଭାକସିନର ପ୍ରଥମ ଡୋଜ୍ ନେଇଛନ୍ତି । ଲୋକଙ୍କ ବିଶ୍ୱାସ ବଢ଼ାଇବା ପାଇଁ ପ୍ରଥମ ଦିନରେ ସେ ଟିକା ନେଇଛନ୍ତି। ଏଥିସହ ସେ ଦେଶବାସୀଙ୍କୁ କରୋନା ଭେକସିନ୍ର ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେବା ପାଇଁ ଭୁଲିବେ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆଜି ଦେଶ ପାଇଁ ସବୁଠାରୁ ବଡ ଦିନ।
ଗୁଲେରିଆଙ୍କୁ ପୂର୍ବରୁ ଆଜି ଦିଲ୍ଲୀ ଏମ୍ସରେ ଜଣେ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଛି। ମିଡିଆ ସାମ୍ନାରେ ସର୍ବ ସମ୍ମୁଖରେ ତାଙ୍କୁ ଟିକା ଲଗାଯାଇଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦ୍ଦେଶକ ଡା.ଗୁଲେରିଆ ମଧ୍ୟ ଉପସ୍ଥିତ ଥିଲେ।
ଆଜି ସାରା ଦେଶରେ ଆରମ୍ଭ ହୋଇଛି ଟିକାକରଣ। କରୋନା ବିରୋଧରେ ଲଢ଼ିବା ପାଇଁ ଦେଶକୁ ମିଳିଛି ସଞ୍ଜିବନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସାରା ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍ ଦିଆଯିବ।
ମୋଦି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ । ଯେଉଁମାନେ ବୟସ୍କ ଏବଂ ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ କରୋନା ଟିକା ପ୍ରଥମେ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଯୋଜନା ରହିଛି। କେବଳ ତିନୋଟି ଦେଶ ଭାରତ, ଚୀନ ଏବଂ ଆମେରିକାରେ ହିଁ ୩୦ କୋଟିରୁ ଅଧିକ ନାଗରିକ ଅଛନ୍ତି। ସମସ୍ତଙ୍କୁ ଭାକସିନର ଦୁଇଟି ଡୋଜ ନେବା ଉଚିତ । ଏଭଳି କରିବା ଦ୍ୱାରା ହିଁ ଆମେ ମହାମାରୀ ସହ ଲଢ଼ିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
The post ଟିକା ନେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ appeared first on Odisha Reporter.
from Odisha Reporter https://ift.tt/38M4x3E
No comments:
Post a Comment