ସୁନ୍ଦରଗଡ଼(ବିଜୟ ବରୁଆଁ): ପାଟି ଭଲ ଭାବେ ଫିଟିନି। କିନ୍ତୁ କୁନି କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ଗୁଗୁଲ ଗାର୍ଲ ଭାବେ ପରିଚିତ ଋତୁମ୍ଭରା ପଟେଲ। ବୟସ ୨ ବର୍ଷ। ପୂର୍ବରୁ ବିଭିନ୍ନ କିର୍ତ୍ତୀ ସ୍ଥାପନ କରି ସାରିଥିବା ଋତୁମ୍ଭରା ଏବେ କରିଛନ୍ତି ନୂଆ ରେକର୍ଡ। କୁନି କଣ୍ଠରେ ଖଣ୍ଡି ଖଣ୍ଡି ଭାବେ କିନ୍ତୁ ମିଠା ସ୍ୱରରେ ସେ ଗାନ କରିଛନ୍ତି ‘ଜନ ମନ ଗଣ’। ଅନର୍ଗଳ ଗାଉ ଗାଉ ମଝିରେ ଝୁଣ୍ଟି ପଡ଼ୁଥିଲେ ମଧ୍ୟ ତାହାକୁ ପୁଣି ଥରେ ଠିକ୍ କରି ବେଶ୍ ସୁମଧୁର ସ୍ୱରରେ ଶେଷ କରିଛନ୍ତି ଜାତୀୟ ସଙ୍ଗୀତ।
ସୁନ୍ଦରଗଡ଼ ଜିଲ୍ଲା ଆରଆରଇଟି କଲୋନୀର ସୁମନ ପଟେଲ, ରଶ୍ମିତା ପଟେଲଙ୍କ ଝିଅ ଋତୁମ୍ଭରା ଖୁବ୍ କମ୍ ବସରୁ ହିଁ ବେଶ୍ ଚମତ୍କାରିତାର ପରିଚୟ ଦେଇଛନ୍ତି। ଥରେ ଗୋଟିଏ ଜିନିଷ ବିଷୟରେ ଶୁଣିଦେଲେ ତାହାକୁ ସେ ଖୁବ୍ ସହଜରେ ମନେ ରଖିଦେଉଛନ୍ତି। ଖେଳକୁଦ କରିବା ବୟସରେ ତାଙ୍କର ବିଭିନ୍ନ ବିଷୟରେ ଜାଣିବାକୁ ଆରମ୍ଭ ହେଲା ପ୍ରବଳ ଆଗ୍ରହ। ଏପରିକି ବର୍ଷେ ହେବା ପରଠୁ ଦିନକୁ ୪ରୁ ୫ ଘଣ୍ଟା ପଢ଼ିବାକୁ ସେ ମା’ଙ୍କ ନିକଟରେ ଜିଦ୍ କରନ୍ତି।
ପୂର୍ବରୁ ମଧ୍ୟ ଦେଶର ସବୁ ରାଜ୍ୟ ତଥା ରାଜଧାନୀର ନାଁ କହିବା ସହ ବହିରୁ ଚିତ୍ର ଦେଖି ଚଟାପଟ ତାହାର ନାଁ, ଆଉ ରଙ୍ଗ ମଧ୍ୟ କହି ଦେଉଥିଲେ ଋତୁମ୍ଭରା। ଏହାବ୍ୟତୀତ ବିଭିନ୍ନ ଫୁଲ, ଜୀବଙ୍କ ନାଁ ମଧ୍ୟ ସେ ମନେ ରଖିଦେଇଛନ୍ତି।
ଏମ୍ସିଏଲ୍ରେ ଚାକିରି କରୁଥିବା ବେଳେ ଝିଅକୁ ବେଶି ସମୟ ଦେଇପାରୁ ନ ଥିବା ସୁମନ କିନ୍ତୁ ଝିଅର ଏପରି ଗୁଣକୁ ନେଇ ବେଶ୍ ଗର୍ବିତ। ଝିଅ ଭଗବାନଙ୍କ ଆଶିର୍ବାଦ ଓ ପିଲାବେଳୁ ତା’ର ଗୁଣ କୌଣସି ଚମତ୍କାରଠୁ ଏହା କମ୍ ନୁହେଁ ବୋଲି ସୁମନ ଓ ରଶ୍ମିତା କହିଛନ୍ତି। ଝିଅର ଏପରି ଚମତ୍କାର ଗୁଣ ଥିବା ଦେଖି ତାଙ୍କ ମା’ ଓ ମାମୁ ରୋଶନ ତାଙ୍କ ପାଠପଢ଼ାରେ ବିଶେଷ ଧ୍ୟାନ ଦେଉଥିବା କହିଛନ୍ତି ସୁମନ।
The post କୁନି କଣ୍ଠରେ ଜାତୀୟ ସଙ୍ଗୀତ ଗାଇ ମନ ଜିଣିନେଲେ ଋତୁମ୍ଭରା appeared first on Odisha Reporter.
from Odisha Reporter https://ift.tt/3iNEaxH
No comments:
Post a Comment