ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରିଙ୍କୁ ଶର୍ମା ହତ୍ୟାକାଣ୍ଡ ମାମଲରେ ଆକ୍ସନ ମୋଡରେ କ୍ରାଇମ ବ୍ରାଞ୍ଚ। ସାକ୍ଷି ପ୍ରମାଣ ଏବଂ ସିସିଟିଭି ଫୁଟେଜ ଆଧାରରେ କ୍ରାଇମ ବ୍ରାଞ୍ଚ ଆଜି ରିଙ୍କୁ ଶର୍ମା ହତ୍ୟା ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ଦିଲ୍ଲୀ ମଙ୍ଗୋଲପୁର ବାସିନ୍ଦା ଡିନ ମହମ୍ମଦ ଓରଫ ସଲାଉଦ୍ଦିନ(୪୦), ଦିଲଶାନ ଓରଫ ମହୋମ୍ମଦ(୨୨), ଫେୟାଜ ଓରଫ ମୋହମ୍ମଦ କମେର ଆଲମ(୨୧) ଏବଂ ଫେଜାନ(୨୧)। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ସିସିଟିଭି ଫୁଟେଜ ଆଧାରରେ ଏହି ୪ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।
ଦିଲ୍ଲୀ ପୁଲିସର କହିବା ମୁତାବକ, ସିସିଟିଭି ଫୁଟେଜରେ ଏହି ୪ ଜଣ ରିଙ୍କୁ ଶର୍ମାଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହି ୪ଜଣ ରିଙ୍କୁ ଶର୍ମାଙ୍କୁ ଘେରି ଯାଇ ଲାଠିରେ ଲଗାତର ମାଡ ମାରୁଥିବା ନଜର ଆସିଛନ୍ତି।
ଏହା ପୂର୍ବରୁ ରିଙ୍କୁ ଶର୍ମା ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ ୫ ଜଣଙ୍କୁ ଗିରଫ କରିସାରିଛି। ଏହାକୁ ମିଶାଇ ବର୍ତ୍ତମାନ ଯାଏ ମୋଟ ୯ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିସାରିଲାଣି।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ଜନ୍ମ ଦିନ ପାର୍ଟିରେ ହୋଇଥିବା ଯୁକ୍ତିତର୍କକୁ କେନ୍ଦ୍ର କରି ୨୫ ବର୍ଷୀୟ ରୋହିତ ଶର୍ମା ଓରଫ ରିଙ୍କୁ ଶର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ରୋହିତଙ୍କ ପରିବାର ଲୋକ ହତ୍ୟାକାଣ୍ଡ ପଛରେ ସାଂପ୍ରଦାୟିକ ଭେଦଭାବ ଥିବା ଅଭିଯୋଗ କରିଥିଲେ। ପୁଲିସ୍ ଏହାକୁ ଅଗ୍ରାହ୍ୟ କରିବା ସହ ସବୁ ଦିଗରୁ ତଦନ୍ତ ଆରମ୍ଭ କରାଯାଇଥିବା ଦିଲ୍ଲୀ ପୁଲିସ୍ ମୁଖପାତ୍ର ଚିନ୍ମୟ ବିଶ୍ୱାଳ କହିଥିଲେ।
ଏହି ଘଟଣାରେ ପ୍ରଥମେ ପୁଲିସ ଜାହିଦ, ମେହେତାବ, ଡ୍ୟାନିଶ, ଇସଲାମ ଓ ତୌଜୀନ ନାମକ ୪ ଯୁବକଙ୍କୁ ଗିରଫ କରିଥିଲା। ଦିଲ୍ଲୀର ମଙ୍ଗୋଲପୁରୀରେ ପ୍ରାଣ ହରାଇଥିବା ରୋହିତ ଓରଫ ରିଙ୍କୁ ରହୁଥିଲେ। ସେ ତାଙ୍କ ଘର ପାଖରେ ରହୁଥିବା ବାବୁଙ୍କ ଜନ୍ମଦିନ ପାର୍ଟିକୁ ଯାଇଥିଲେ। ସମସ୍ତ ୪ ଅଭିଯୁକ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ରୋହିତ ଓ ୪ ଅଭିଯୁକ୍ତ ପରସ୍ପରକୁ ଜାଣିଥିଲେ। ସେହିପରି ସେମାନେ ଗୋଟିଏ ଅଞ୍ଚଳରେ ରହୁଥିଲେ। ତେବେ ଜନ୍ମ ଦିନ ପାର୍ଟିରେ ରିଙ୍କୁଙ୍କ ସହ ୪ ଅଭିଯୁକ୍ତଙ୍କ ପାଟିତୁଣ୍ଡ ହୋଇଥିଲା। ଶେଷରେ ରୋହିତ ଘରକୁ ବାହାରିଥିଲେ। ସେ ଘର ନିକଟରେ ପହଞ୍ଚିବା ବେଳକୁ ୪ ଅଭିଯୁକ୍ତ ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ପଛରୁ ଛୁରା ମାଡ଼ କରିଥିଲେ। ସ୍ଥାନୀୟ ସିସିଟିଭିରୁ ଜଣାପଡ଼ିଛି ଯେ ରୋହିତ ଓ ୪ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରବଳ ମାରପିଟ୍ ହୋଇଥିଲା। ସେଠାରେ ଲୋକମାନେ ଲାଠି ଓ ହତିଆର ଧରି ଛିଡ଼ା ମଧ୍ୟ ହୋଇଥିଲେ। ଆକ୍ରମଣରେ ଆହତ ରୋହିତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
The post ରିଙ୍କୁ ଶର୍ମା ହତ୍ୟାକାଣ୍ଡ ମାମଲା, ଧରାପଡିଲେ ଆଉ ୪ ଅଭିଯୁକ୍ତ appeared first on Odisha Reporter.
from Odisha Reporter https://ift.tt/2ZxPAwV
No comments:
Post a Comment