ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ମୁକାବିଲା ନିମନ୍ତେ ପ୍ରାୟ ୭ ମାସ ପୂର୍ବେ ଲାଗୁ ହୋଇଥିବା ସମସ୍ତ ଆର୍ଥିକ କଟକଣାକୁ ଉଠାଇ ନେଇଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷର ବାକିଥିବା ଅବଧି ପାଇଁ ଏହି କଟକଣା କୋହଳ କରାଯାଇଛି । ଏହି ନିଷ୍ପତ୍ତି ସଂପର୍କରେ ସବୁ ବିଭାଗୀୟ ସଚିବଙ୍କୁ ଅର୍ଥ ସଚିବ ଅଶୋକ ମୀନା ଚିଠି ଲେଖି ଜଣାଇ ଦେଇଛନ୍ତି ।
କରୋନା ପରେ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ମୁଖ୍ୟଧାରାକୁ ଫେରାଇବା ପାଇଁ କଟକଣା କୋହଳ କରାଯାଇଥିବା କୁହାଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଦର୍ଶାଇଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ଯେଉଁ ଆର୍ଥିକ କଟକଣା ଲଗାଯାଇଥିଲା, ସେଥିରୁ ସରକାର କେତେକ କ୍ଷେତ୍ରରେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ଏବେ କୋଭିଡ଼ ମୁକାବିଲା ପାଇଁ ଟିକାକରଣ ଚାଲୁ ରହିଥିବାବେଳେ ରାଜ୍ୟର ଅର୍ଥନୀତି ସୁଧାର ଆଡ଼କୁ ମୁହାଁଇଛି। ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ସମ୍ବଳ ସଂଗ୍ରହ କରିପାରୁଛନ୍ତି।
ଅର୍ଥନୈତିକ କ୍ଷେତ୍ରରେ ଅଧିକ ବିକାଶ ଲାଗି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ଉପରେ ଖର୍ଚ୍ଚକୁ ନେଇ ଯେଉଁ କଟକଣା ଲଗାଯାଇଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର ବିଭାଗ ପକ୍ଷରୁ ବାସ୍ତବରେ ଯେଉଁ ଖର୍ଚ୍ଚ ହେବ ତାକୁ ହିଁ ରାଜକୋଷରୁ ଉଠାଣ କରିପାରିବେ। ସେହିପରି ରାଜକୋଷରୁ ଟଙ୍କା ଉଠାଇ କୌଣସି ବ୍ୟାଙ୍କରେ ରଖାଯାଇପାରିବ ନାହିଁ ବୋଲି ଶ୍ରୀ ମୀନା ସ୍ପଷ୍ଟ ଦର୍ଶାଇଛନ୍ତି।
ଏହି ନିଷ୍ପତ୍ତି ଅନୁଦାନପ୍ରାପ୍ତ, ସ୍ୱୟଂକ୍ରିୟ ଓ ସମବାୟ ସଂସ୍ଥା ପାଇଁ ବି ଲାଗୁ ବୋଲି ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ସଂପୃକ୍ତ ଡିଡିଓଙ୍କୁ ଅବଗତ କରାଇବାକୁ ଶ୍ରୀ ମିନା ଦର୍ଶାଇଛନ୍ତି।
The post ଆର୍ଥିକ କଟକଣା ଉଠାଇଦେଲେ ରାଜ୍ୟ ସରକାର appeared first on Odisha Reporter.
from Odisha Reporter https://ift.tt/3aVsGWL
No comments:
Post a Comment