ଅକଲ୍ୟାଣ୍ଡ: ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ ଭାଙ୍ଗିଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଗପ୍ଟିଲ ୮ଟି ବିଶାଳ ଛକା ମାରି ରୋହିତଙ୍କୁ ପଛରେ ପକାଇ ଦେଇଛନ୍ତି। ପୂର୍ବରୁ ଟି-୨୦ରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା।
ହେଲେ ଏବେ ଗପ୍ଟିଲ ଏହି ସ୍ଥାନ ଦଖଲ କରିନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗପ୍ଟିଲ ୫୦ଟି ବଲ୍ରେ ବିସ୍ଫୋରକ ୯୭ ରନ୍ର ଇନିଂସ୍ ଖେଳିଛନ୍ତି। ଫଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭର୍ରେ ୨୧୯ ରନ୍ କରିଥିଲା। ଏହି ବିସ୍ଫୋରକ ଇନିଂସ୍ରେ ସେ ୮ଟି ଛକା ଓ ୬ଟି ଚୌକା ମାରିଥିଲେ।
ଗପ୍ଟିଲ ଏଯାଏ ଟି-୨୦ ଫର୍ମାଟରେ ୧୩୨ଟି ଛକା ମାରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ରୋହିତ ୧୨୭ଟି ଛକା ମାରିଛନ୍ତି। ଏମାନଙ୍କ ପଛକୁ ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ୧୧୩, ନ୍ୟୁଜିଲ୍ୟାଣ୍ଡର କଲିନ ମୁନରୋ ୧୦୭ ଓ ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ୍ ଟି-୨୦ ଫର୍ମାଟରେ ୧୦୫ଟି ଛକା ମାରିଛନ୍ତି।
ମ୍ୟାଚ୍ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡ ଦେଇଥିବା ୨୨୦ ରନ୍ର ପିଛା କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ଦଳ ପ୍ରଥମ ୩ ଓଭର୍ରେ ୩୩ ରନ୍ ଆଦାୟ କରିଥିଲା। ଟିମ୍ ସାଉଦି ୪ର୍ଥ ଓଭର୍ରେ ମାଥ୍ୟୁ ୱେଡଙ୍କୁ ଆଉଟ କରି ଅଷ୍ଟ୍ରେଲିଆର ପଶ୍ଚାତଧାବନ ଉପରେ କିଛି ମାତ୍ରାରେ ରୋକ ଲଗାଇଥିଲେ। ତଥାପି ଭ୍ରମଣକାରୀ ଅଷ୍ଟ୍ରେଲିଆ ୭ ଓଭର ବେଳକୁ ଗୋଟିଏ ୱିକେଟ ହରାଇ ୬୪ ରନ୍ କରି ନେଇଥିଲା। ୮ମ ଓଭର୍ର ଶେଷ ବଲରେ ଈଶ ଶୋଢ଼ି ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚଙ୍କୁ ପ୍ୟାଭିଲିୟନ ପଠାଇ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସଫଳତା ଦେଇଥିଲେ।
ଫିଞ୍ଚ ଆଉଟ ହେବା ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଭୁଶୁଡ଼ି ପଡ଼ିଥିଲା। ଦଳ ମାତ୍ର ୧୧୩ ରନ୍ରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଘଟିଥିଲା ବଡ଼ ଟ୍ୱିଷ୍ଟ। ମାର୍କସ ଷ୍ଟୋଇନିସ ଓ ଡାନିଏଲ ସାମ୍ସ କାଉଣ୍ଟର ଆଟାକ କରି ୯୭ ରନ୍ର ଭାଗିଦାରୀ କରିଥିଲେ। ଏପରି କି ମ୍ୟାଚ୍ର ଫଳାଫଳ ଶେଷ ଓଭର୍ ଯାଏ ମଧ୍ୟ ଯାଇଥିଲା। କିନ୍ତୁ ଶେଷରେ ନ୍ୟୁଜିଲ୍ୟାଣ୍ଡ ରୋମାଞ୍ଚକର ଢଙ୍ଗରେ ଏହି ମ୍ୟାଚ୍କୁ ୪ ରନ୍ରେ ଜିତି ନେଇଥିଲା। ଷ୍ଟୋଇନିସ୍ ୩୭ ବଲ୍ରେ ୭୮ ଓ ସାମ୍ସ ମାତ୍ର ୧୫ ବଲ୍ରେ ୪୧ ରନ୍ର ଇନିଂସ ଖେଳି ସମସ୍ତଙ୍କୁ ଜଳକା କରିଦେଇଥିଲେ।
The post ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ମାର୍ଟିନ ଗପ୍ଟିଲ appeared first on Odisha Reporter.
from Odisha Reporter https://ift.tt/2O2Y78A
No comments:
Post a Comment