କରଞ୍ଜିଆ(ଦୀପକ କୁମାର ମହାନ୍ତ): ଝରାଫୁଲ ମୃତ୍ୟୁକୁ ୬ଦିନରୁ ଅଧିକ ସମୟ ବିତି ଯାଇଥିବା ବେଳେ ଝିଅକୁ ହରାଇ ପାଗଳ ପ୍ରାୟ ହୋଇଯାଇଛନ୍ତି ପରିବାର ଲୋକ। ଏପରି ସମୟରେ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ କୌଣସି ଅଧିକାରୀଙ୍କ ଦେଖା ମିଳି ନାହିଁ। ଅପରପକ୍ଷେ, ମୃତ ଝରାଫୁଲଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବାକୁ ଗତକାଲି ତାଙ୍କ ଗାଁରେ ପହଞ୍ଚିଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ ଭଉଣୀ ତଥା ଜେଏମ୍ଏମ୍ର ପ୍ରଦେଶ ମହିଳା ମୋର୍ଚ୍ଚା ସଭାପତି ଅଞ୍ଜନି ସୋରେନ।
ଅଞ୍ଜନି ଝରାଫୁଲଙ୍କ ଗାଁରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହିତ ଆଶ୍ୱାସନା ଦେଇଥିଲେ। ଝରାଫୁଲଙ୍କ ମୃତ୍ୟୁର ରହସ୍ୟ ଯଥାଶୀଘ୍ର ଉନ୍ମୋଚନ କରି ଦୋଷୀକୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଦାବି କରିଛନ୍ତି।
ଅଞ୍ଜନି କହିଛନ୍ତି, ଶାସକ ଦଳ ମା’କୁ ସମ୍ମାନ ଦେବା କଥା କହୁଥିବା ବେଳେ ଏଠାରେ କିନ୍ତୁ ଝିଅ, ବୋହୂ ଅସୁରକ୍ଷିତ ରହୁଛନ୍ତି। ତାଙ୍କ ପରିବାରକୁ ଆର୍ଥିକ ସହାୟତା ଓ ଦୋଷୀକୁ କଠୋର ଦଣ୍ଡ ମିଳିବା ଦରକାର।
ସେହିପରି ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ସହିତ ପୀଡ଼ିତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଝରାଫୁଲ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଆଜିଠାରୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଯାଜପୁର ପୁଲିସ୍। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୁଲିସ୍କୁ ଅନୁମତି ଦେଇଛନ୍ତି ।
ଯାଜପୁର କୁଆଖିଆ ଅଞ୍ଚଳରେ ଝରାଫୁଲଙ୍କ ମୃତଦେହକୁ ୨ ଯୁବକ ପକାଇ ଦେଇ ପଳାଇଥିବା ବେଳେ ସିସିଟିଭିରୁ ତାହା ଜଣାପଡ଼ିଥିଲା। ତେଣୁ ରାକେଶ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ? କିପରି ମୃତ୍ୟୁ ହେଲା ? ଏସବୁ ଦିଗକୁ ଧରି ଯାଜପୁର ପୁଲିସ୍ ରାକେଶଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।
The post ଝରାଫୁଲଙ୍କ ଗାଁରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ appeared first on Odisha Reporter.
from Odisha Reporter https://ift.tt/3pGQ8Mn
No comments:
Post a Comment