ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ତେଲ ଦର ବଢ଼ିବା ସାମୟିକ। ଏହା ଶୀଘ୍ର ଠିକ୍ ହୋଇଯିବ।’ ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି, ବିଶ୍ୱ ବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ପ୍ରଭାବ ପଡ଼ିଛି। କିନ୍ତୁ ଏ ଅସୁବିଧା ସାମୟିକ, ଏହା ଶୀଘ୍ର ସୁଧୁରିଯିବା ଆଶା ରହିଛି।
ଶ୍ରୀ ପ୍ରଧାନ କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ବଢ଼ିଛି। ଏଥିଯୋଗୁଁ କଞ୍ଜ୍ୟୁମର ପ୍ରାଇସ ବଢ଼ିଛି। ଏଥିରେ ଟ୍ୟାକ୍ସ ଆଦାୟ କରାଯାଉଛି ସତ କିନ୍ତୁ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ। GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। GST କାଉନସିଲ ଏନେଇ ନିଷ୍ପତ୍ତି ନେବ।
ସେ ଆହୁରି କହିଛନ୍ତି, କରୋନା ସମୟରେ ଦେଶର ଆମଦାନୀ ଏବଂ ରପ୍ତାନୀ ବେଶ ପ୍ରଭାବିତ ହୋଇଥିଲା। ଦେଶର ଅର୍ଥନୀତି ଯେପରି ଖରାପ ସମୟ ପହଞ୍ଚିଥିଲା, ସେଥିରେ ସୁଧାର ଆଣିବା ପାଇଁ ଟ୍ୟାକ୍ସ ମାଧ୍ୟମରେ ଅର୍ଥ ସଂଗ୍ରହ କରାଯାଉଥିଲା। ମିଳିଥିବା ଅର୍ଥରାଶିକୁ କରୋନା ଭ୍ୟାକସିନରେ ବ୍ୟବହାର କରାଯାଇଛି। ଚଳିତ ବଜେଟରେ ୩୫ ହଜାର କୋଟି ଟଙ୍କା କରୋନା ଟିକା ପାଇଁ ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏହାକୁ ବିନିଯୋଗ କରାଯାଇଛି। ତେଣୁ ଏସବୁ ରିସୋର୍ସ କେନ୍ଦ୍ର ସରକାର ଆଣିବ କେଉଁଠୁ?
ଲୋକଙ୍କ ଭଲ ପାଇଁ ଏହି ସବୁ କାମ କରାଯାଉଛି। ଆଗକୁ ଧୀରେ ଧୀରେ ତୈଲ ଦର କମିବ ବୋଲି ଅଶା କରାଯାଉଛି । ତୈଳ ଦର ବୃଦ୍ଧିକୁ ପ୍ରସଙ୍ଗ କରି ରଜନୀତି ନକରିବାକୁ ଧର୍ମେନ୍ଦ୍ର କହିଛନ୍ତି।
ଆଜି ବି ବଢ଼ିଛି ତୈଳ ଦର
ଅନ୍ୟପକ୍ଷରେ ଆଜି ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଲିଟର ଶହେ ପାର କରିଛି। ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୩ ପଇସା। ସାଧାରଣ ପେଟ୍ରେଲ ଦର ଲିଟର ପିଛା ୯୬ ଟଙ୍କା ୩୧ ପଇସା ରହିଛି।
ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ବଢ଼ିଥିବାବେଳେ ଡିଜେଲ ଦର ୪୩ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ହୋଇଥିବା ବେଳେ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି।
କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି। ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ୍ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଛି। ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି।
The post ତୈଳ ଦର କାହିଁକି ବଢ଼ୁଛି? କାରଣ ଜଣାଇଲେ ଧର୍ମେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/3by3ggO
No comments:
Post a Comment