କଟକ(ଓଡ଼ିଶା ରିପୋର୍ଟର): “୨୨ ବର୍ଷ ଧରି ବିବନ୍ଙ୍କ ସହ ସମ୍ପର୍କ ନ ଥିଲା। ସେ ଘରକୁ ଫେରି ନାହାନ୍ତି। ୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।” ୧୯୯୯ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳଙ୍କ ଗିରଫଦାରୀ ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ ।
ସେ କହିଛନ୍ତି, “୨୨ ବର୍ଷ ହେଲା ଘର ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ମୋତେ କେବେ କିଛି ବି ଟଙ୍କା ଦେଇ ନାହାନ୍ତି। ମୋ ପିଲାଛୁଆଙ୍କୁ ବଡ଼ କରିବାକୁ ମୁଁ ଚେଷ୍ଟା ଚଳାଇଛି। ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ବଞ୍ଚାଇଛି।”
ଏଥିସହ ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ ନୁହେଁ ବରଂ ଶ୍ୱଶୁରଙ୍କ ଡେଥ୍ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲୁ ବୋଲି ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ରଖିଛନ୍ତି ବିବନଙ୍କ ପତ୍ନୀ। ସୂଚନାଯୋଗ୍ୟ, ଗତକାଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ବିବନ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଡେଥ୍ ସାର୍ଟିଫିକେଟ୍ ଯୋଗାଡ଼ କରିବା ପାଇଁ କହିଥିଲେ। ଆଉ ତାଙ୍କ ପରିବାର ଲୋକେ ଏଥିପାଇଁ ଉଦ୍ୟମ ମଧ୍ୟ କରିଥିଲେ।
ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା । ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ।
ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥଇଲେ । ହେଲେ ବିବନ ଘଟଣା ପରଠୁ ଫେରାର ହୋଇଯାଇଥିଲା। ଗଣଦୁଷ୍କର୍ମ ପରେ ଫେରାର ବିବନ ପୁନେରେ ନାମ ବଦଳାଇ ଜଳନ୍ଧର ସ୍ୱାଇଁ ନାମରେ ରହୁଥିଲା।
ଏହାପରେ ତାକୁ ଧରିବାକୁ ୩ ମାସ ତଳେ ସିପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ ସାଇଲେଣ୍ଟ ଭାଇପର’ ଅଭିଯାନ। ବିବନ ବିଶ୍ୱାଳ ନିଜ ନାମ ବଦଳାଇ ପୁନେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାମରେ ରହି ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା । ପରିଚୟ ପତ୍ର, ଆଧାର କାର୍ଡ, ପାସ୍ବୁକ୍ ଜଳନ୍ଧର ନାଁରେ ହିଁ କରିଥିଲା । ହେଲେ ପୁନେ ପୁଲିସ୍ ସହ ଯୋଗାଯୋଗ କରି କମିଶନରେଟ ପୁଲିସ୍ ତାକୁ ସେଠାରୁ କାବୁ କରି ଓଡ଼ିଶା ଆଣିବାରେ ସଫଳ ହୋଇଥିଲା।
The post ‘୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି, କିଛି ଟଙ୍କା ଦେଇନାହାନ୍ତି’ appeared first on Odisha Reporter.
from Odisha Reporter https://ift.tt/2P61ADN
No comments:
Post a Comment